ପାଲଘର: ମହାରାଷ୍ଟ୍ର ପାଲଘରରେ ଛାତିଥରା ଘଟଣା । ନୌସେନା ଅଧିକାରୀଙ୍କୁ ଅପହରଣ ପରେ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ନୌସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ, ସେଠାରେ ସେ ଆଖି ବୁଜିଛନ୍ତି । ମୃତ ନୌସେନା ଅଧିକାରୀ 26 ବର୍ଷୀୟ ସୁରଜ କୁମାର ।
ସୁରଜଙ୍କ ପ୍ରକୃତ ଘର ଝାଡଖଣ୍ଡର ରାଞ୍ଚି । ସେ ତାମିଲନାଡୁର ଆଇଏନଏ କୋଏମ୍ବଟୁରରେ କାର୍ଯ୍ୟରତ ଥିଲେ । ଗତ ଜାନୁଆରୀ 30 ରେ ଛୁଟି ସାରି କାର୍ଯ୍ୟରେ ଯୋଗ ଦେବାକୁ କୋଏମ୍ବଟୁର ଯାଉଥିଲେ । ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ତାଙ୍କୁ ଅପହରଣ କରିଥିଲେ। ଏହା ପରେ ସେଠାରୁ ପାଲଘରର ତଳସାରି ଅଞ୍ଚଳର ବେବାଜୀ ଜଙ୍ଗଲକୁ ନେଇଥିଲେ । ନୌସେନା ଅଧିକାରୀଙ୍କୁ ଛାଡିବା ପାଇଁ ତାଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଦାବି କରିଥିଲେ ।
ଶୁକ୍ରବାର ସକାଳେ, ଦୁର୍ବୃତ୍ତମାନେ ନୌସେନା ଅଧିକାରୀଙ୍କ ହାତଗୋଡ ବାନ୍ଧି ତାଙ୍କୁ ସେହି ଜଙ୍ଗଲରେ ଜାଳି ଦେଇଥିଲେ । ମୃତଦେହକୁ ସେଠାରେ ଛାଡି ଚାଲିଯାଇଥିଲେ । କିଛି ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳକୁ ତାଙ୍କ ଶରୀରର 90 ପ୍ରତିଶତ ଜଳିପଡିଥିଲା । ଗୁରୁତର ଅବସ୍ଥାରେ INHS ଅଶଭିନ ଭର୍ତ୍ତି କରାଯାଇଥିଲା ।
ସେପଟେ, ପୋଲିସ 3 ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଅ ମୃତ୍ୟୁକୁ ନେଇ ସୁରଜଙ୍କ ବାପା ହତ୍ୟାକାରୀଙ୍କୁ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ