ନୂଆଦିଲ୍ଲୀ: ମିଳିଲା ଶାନ୍ତି । ଏବେ ମନ ଖୁସିରେ ପିଲା ଯାଇପାରିବେ ସ୍କୁଲ । ଆଉ ଯାତାୟତ ପାଇଁ ଭୋଗିବାକୁ ପଡିବ ନାହିଁ ସମସ୍ୟା । ଏସବୁର ସମସ୍ୟାର ସମାଧାନ କରିଛି ଜମ୍ମୁ-କାଶ୍ମୀର ରଜୌରୀର ଧରହାଲି ନଦୀରେ ନିର୍ମିତ ହୋଇଥିବା 20 କିଲୋମିଟର ଲମ୍ବ ବିଶିଷ୍ଟ ଏକ ପୋଲ।
ଏହି ନୂତନ ବ୍ରିଜର ନାମ ହେଉଛି ‘ମେଘା’ । ପ୍ରତି ବର୍ଷ ବର୍ଷା ଋତୁ ଆସିଲେ ପିଲାଙ୍କ ମଧ୍ୟରେ ସ୍କୁଲ ଯିବାକୁ ନେଇ ଦେଖା ଯାଏ ଚିନ୍ତା । ଗୋଟିଏ ମାସରେ କୋଡିଏ ଦିନରୁ ଅଧିକା ସ୍କୁଲ ଯିବା ସମ୍ଭବ ହୁଏ ନାହିଁ । ଏହି ପୋଲ ନିର୍ମାଣ ହେବା ଦ୍ୱାରା ସ୍କୁଲ ପିଲାଙ୍କୁ ଯିବା ଆସିବା କରିବାରେ ସୁବିଧା ହେବ। ଏହାସହ ନଦୀ ଆର ପଟକୁ ଯାଉଥିବା ଚାଷୀଙ୍କ ସମେତ ଏଠାକୁ ଆସୁଥିବା ଲୋକେ ସହଜରେ ଏଠାରେ ପହଞ୍ଚି ପାରିବେ।
ସ୍ଥାନୀୟ ସ୍କୁଲର ଶିକ୍ଷକ ହୁସେନ ମିର୍ଜାଙ୍କ କହିବା ଅନୁସାରେ, ବର୍ଷା ଦିନେ ସ୍କୁଲ ଆସିବା ପିଲାଙ୍କ ପାଇଁ କଷ୍ଟକର ହୋଇପଡେ। ନିର୍ମିତ ହୋଇଥିବା ଏହି ନୂତନ ପୋଲ ସେମାନଙ୍କ ସମସ୍ୟାକୁ ଦୂର କରିଛି। ଏବେ ପିଲାଏ ମନ ଖୁସିରେ ପାଠ ପଢିବାକୁ ଆସିବେ।
ସ୍ଥାନୀୟ ଅଞ୍ଚଳ ବିକାଶକୁ ଦୃଷ୍ଟିରେ ରଖି ଏ ପୋଲର ନିର୍ମାଣ କରାଯାଇଥିବା କହନ୍ତି ଡିଡିସି। ଯାହା ରଜୌରୀର 20ଟି ଗାଁ ସହ ସଂଯୋଗ କରୁଛି। ଯାହା ଦ୍ୱାରା ଲୋକେ ଆରାମରେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାତ୍ରା କରି ପାରିବେ।