ଡର୍ଜନେ ପାଞ୍ଚ ବର୍ଷିଆ ଯୋଜନା କାର୍ଯ୍ୟକାରୀ କରିବା ପରେ (60 ବର୍ଷ ପରେ) ଭାରତ ସରକାର ପୁରୁଣା ଯୁଗର “ଯୋଜନା କମିଶନ” ସଂସ୍ଥାକୁ ତ୍ୟାଗ କରିଥିଲେ । ଏହାକୁ ‘ନୀତି (ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ) ଆୟୋଗ’(ଯାହାର ଆକ୍ଷରିକ ଅର୍ଥ ନୀତି କମିଶନ) ନାମରେ ନାମିତ କରାଯାଇଥିଲା ଏବଂ ଭାରତକୁ ରୂପାନ୍ତରିତ କରିବା ଦିଗରେ ପରିବର୍ତ୍ତନର ବ୍ୟାପକ ଧାରା ପ୍ରବର୍ତ୍ତନର ପ୍ରଥମ ପାଞ୍ଚ ବର୍ଷରେ ଏହା ବେଶ୍ ସୁପରିଚିତ ହୋଇପାରିଛି ।
ସାର୍ବଜନୀନ ଉଦ୍ଦେଶ୍ୟରେ ଖର୍ଚ୍ଚ କ୍ଷେତ୍ରରେ ଉତ୍ତରଦାୟିତ୍ବ ସ୍ଥିର କରିବା ସହିତ ଉପଲବ୍ଧ ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ଏହାର ତଦାରଖ କରିବା ଉପରେ ନୀତି ଆୟୋଗ ଗୁରୁତ୍ବାରୋପ କରିଛନ୍ତି । ଭାରତ ସରକାରଙ୍କ ବିଭିନ୍ନ ଯୋଜନାକୁ ଡିଜିଟାଲ ଢାଞ୍ଚାରେ କାର୍ଯ୍ୟକାରୀ କରିବା ସହିତ ସର୍ବସାଧାରଣ କ୍ଷେତ୍ରରେ ଅର୍ଥବ୍ୟୟକୁ ଅଧିକ ସ୍ବଚ୍ଛ ଏବଂ ଉତ୍ତରଦାୟିତ୍ବ ସଂପନ୍ନ କରିବା ସକାଶେ ସାଧାରଣ ପାଣ୍ଠି ପରିଚାଳନା ପଦ୍ଧତି (PFMS)ର ପ୍ରୟୋଗ ଲାଗି ଏହି ଅପରିହାର୍ଯ୍ୟ ପରିବର୍ତ୍ତନ କରାଯାଇଥିଲା । ଏବେ, 30 ବର୍ଷ ପରେ ସଂଶୋଧିତ ନୂତନ ଶିକ୍ଷା ନୀତି (NEP)-2020 ପ୍ରଣୟନରେ ଭାରତର ନୂତନ ଶିକ୍ଷା ବ୍ୟବସ୍ଥାର ପ୍ରସ୍ତାବ ପ୍ରଦାନ କରାଯାଇଛି ଏବଂ ଏହାର ପରିବର୍ତ୍ତନଶୀଳତା ଏବଂ ଉତ୍ତରଦାୟିତ୍ବ ବ୍ୟବସ୍ଥା କାରଣରୁ ଏହି ନୀତି ବିଶ୍ବସ୍ତରୀୟ ଶିକ୍ଷା ପଦ୍ଧତିର ସମକକ୍ଷ ହେବା ଦିଗରେ ଦେଶର ଆବଶ୍ୟକତା ପୂରଣ କରିବାକୁ ଉନ୍ନତ ଗୁଣମାନ ବିଶିଷ୍ଟ ହେବ ବୋଲି ଆଶା କରାଯାଉଛି । ନୂତନ ଶିକ୍ଷାନୀତି-2020ରେ ନୀତି ସଂପର୍କିତ ଅନେକ ନୂତନ ନିର୍ଦ୍ଦେଶାବଳୀ ରହିଥିବା ବେଳେ ଏହି ଆଲେଖ୍ୟ ମୁଖ୍ୟତଃ ଗବେଷଣା ସଂପର୍କିତ ନୀତିକୁ ନେଇ ଆଲୋଚନାରେ ସୀମିତ ରହିବ ।
STEM ପରିବର୍ତ୍ତେ STEAM ଉପରେ ଧ୍ୟାନ ରହିବ
ଶିକ୍ଷା ଓ ଗବେଷଣା ସବୁବେଳେ ସହଗାମୀ । ଗୋଟିଏ ରାଷ୍ଟ୍ରକୁ ସ୍ବାବଲମ୍ବୀ କରାଇବା ଦିଗରେ ଗବେଷଣାର ପ୍ରଭୂତ ଅବଦାନ ରହିଥାଏ ଏବଂ ‘ଆତ୍ମନିର୍ଭର ଭାରତ’ର କଥା କହୁଥିବା ଭାରତରେ ଏହା ଅଧିକ ପ୍ରାସଙ୍ଗିକ ମନେହୁଏ । ଗବେଷଣା କ୍ଷେତ୍ରରେ କରାଯାଇଥିବା ପୁଞ୍ଜି ବିନିଯୋଗରୁ ଦୀର୍ଘ କାଳ ଧରି ଅବିରତ ସୁଫଳ ମିଳିଥାଏ । ଗବେଷଣାରେ ନିହିତ ଅର୍ଥ ବିନିଯୋଗରୁ ମିଳୁଥିବା ଫାଇଦା ସବୁବେଳେ ଖର୍ଚ୍ଚ ତୁଳନାରେ ଅଧିକ ହୋଇଥାଏ ! ସାଂସ୍କୃତିକ, ଭାଷାତତ୍ତ୍ବ ଭିତ୍ତିକ ଏବଂ ସାମାଜିକ-ଅର୍ଥନୈତିକ ବିବିଧତା ଦିଗରେ ଯୁବ ପିଢ଼ିର ମାନସିକତାକୁ ସ୍କୁଲ/କଲେଜ/ବିଶ୍ବବିଦ୍ୟାଳୟ ସ୍ତରରେ ନିୟୋଜିତ କରିବା ଫଳରେ ଆମ ସମାଜକୁ କଳୁଷିତ କରୁଥିବା ବହୁ ସମସ୍ୟାର ସମାଧାନ ଲାଗି ପଥ ଉନ୍ମୁକ୍ତ ହୁଏ । ଏଭଳି ପ୍ରକାଶ୍ୟ ନିୟୋଜନ କାରଣରୁ ଗବେଷଣା ସଂସ୍କୃତିର ପ୍ରତିପୋଷଣ କରୁଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ କଳା ଓ ସାମାଜିକ ବିଜ୍ଞାନରେ ଗବେଷଣା ଲାଗି ଉତ୍ସାହ ବିକଶିତ ହୁଏ । କିନ୍ତୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (STEM) ବିଷୟରେ ଗବେଷଣା ମୁଖ୍ୟତଃ ବିଶ୍ବବିଦ୍ୟାଳୟ ପରିସର ବାହାରେ ହୋଇଥାଏ । ଗୋଟିଏ ପଟେ ବିଶ୍ବବିଦ୍ୟାଳୟର ଗବେଷକମାନେ ଭାରତର ବିଜ୍ଞାନୀମାନଙ୍କ ସହିତ ପ୍ରତିଯୋଗିତା କରୁଥିବା ବେଳେ ଅନ୍ୟ ପଟେ ଅନ୍ତର୍ଜାତୀୟ ସ୍ତରରେ ଏହି ସବୁ ବିଷୟର ମୁଖ୍ୟ ଗବେଷକମାନଙ୍କ ସହିତ ପ୍ରତିଯୋଗିତା କରିଥାଆନ୍ତି ।
ବିଶ୍ବବିଦ୍ୟାଳୟରେ ଗୋଟିଏ ସୁବିଧା ଥାଏ ଯେ ପ୍ରତି ବର୍ଷ ଏଠାରେ ଯୁବ ପ୍ରତିଭାମାନଙ୍କର ପ୍ରବେଶ ହୋଇଥାଏ । ବିଭିନ୍ନ ବିଶ୍ବବିଦ୍ୟାଳୟ, ଆଇଆଇଟି/ଏନ୍ଆଇଆଇଟି ସମେତ ବହୁସଂଖ୍ୟକ ଉଚ୍ଚ ଶିକ୍ଷାନୁଷ୍ଠାନ (HEI)କୁ ବହୁବିଭାଗୀୟ ସଂସ୍ଥାରେ ପରିଣତ କରିବା ଲାଗି ନୂତନ ଶିକ୍ଷାନୀତି-2020ରେ ପରିକଳ୍ପନା କରାଯାଇଛି । ଏହି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ (ଏଥିରେ କଳା ବା ଆର୍ଟ୍ସର ପର୍ଯ୍ୟାପ୍ତ ଉପାଦାନ ସମ୍ମିଳିତ କରାଯାଇ) STEAMରେ ରୂପାନ୍ତରିତ କରିବା ଲାଗି ନୂତନ
ଶିକ୍ଷା ନୀତିରେ ଲକ୍ଷ୍ୟ ରଖାଯାଇଛି । ଏହା ଫଳରେ ଏହି ଅନୁଷ୍ଠାନଗୁଡ଼ିକ କେବଳ STEM ବିଷୟର ଗବେଷଣାରେ ସୀମିତ ରହିବେ ନାହିଁ । ନୂତନ ଶିକ୍ଷା ନୀତିର ଏହି ପ୍ରକ୍ରିୟା ଯୋଗୁଁ ସାଧାରଣ ଭାବରେ ବିଶ୍ବରେ ଏବଂ ନିର୍ଦ୍ଦିଷ୍ଟ ଭାବରେ ଭାରତରେ, କଳା ଓ ସାମାଜିକ ବିଜ୍ଞାନ ଉପରେ ଗୁରୁତ୍ବାରୋପ କରାଯାଇଛି ।
ଜାତୀୟ ଗବେଷଣା ପ୍ରତିଷ୍ଠାନ
ବହୁସଂଖ୍ୟକ ଭାରତୀୟ ଅଧ୍ୟାପକଙ୍କର ଏହି ଅନୁଭୂତି ରହିଛି ଯେ, ଭାରତର ଗବେଷଣା କ୍ଷେତ୍ରରେ ପୁଞ୍ଜି ବିନିଯୋଗର ଅନନ୍ୟ ଢାଞ୍ଚା ସଂପର୍କରେ ବିଭିନ୍ନ ବିକଶିତ ଦେଶରେ କାର୍ଯ୍ୟରତ ସେମାନଙ୍କ ସମସାମୟିକ ଅଧ୍ୟାପକମାନେ ଖୁବ୍ ସୂକ୍ଷ୍ମ ଓ ଅନୁକୂଳ ମତପୋଷଣ କରିଥାଆନ୍ତି । ଭାରତ ସରକାର 15,000ରୁ ଅଧିକ ଗବେଷଣା ଫେଲୋସିପ୍ ଏବଂ କେଇ ହଜାର ଡକ୍ଟରେଟ୍ ପରବର୍ତ୍ତୀ ଫେଲୋସିପ୍ ପ୍ରଦାନରେ ସହଯୋଗ କରିଥାଆନ୍ତି । ସର୍ବୋପରି, ଆମ ପାଖରେ ପ୍ରଧାନମନ୍ତ୍ରୀଙ୍କ ରିସର୍ଚ୍ଚ ଫେଲୋସିପ୍ (PMRF) ଯୋଜନାରେ ବେଶ୍ ଆକର୍ଷଣୀୟ ଏବଂ ଉଚ୍ଚସ୍ତରୀୟ
ପ୍ରତିଯୋଗିତାମୂଳକ ରିସର୍ଚ୍ଚ ଫେଲୋସିପ୍ ମଧ୍ୟ ଉପଲବ୍ଧ । ଆଗ୍ରହୀ ଓ ପ୍ରତିଭାଶାଳୀ ଯୁବ ବର୍ଗଙ୍କୁ ବିନା କୌଣସି ପ୍ରତିବନ୍ଧକରେ ବିଭିନ୍ନ କ୍ଷେତ୍ରରେ ଗବେଷଣାର ସୁଯୋଗ ଦେବା ପାଇଁ ଆକର୍ଷିତ କରିବା ହିଁ ଭାରତରେ ପ୍ରଦାନ କରାଯାଉଥିବା ରିସର୍ଚ୍ଚ ଫେଲୋସିପ୍ର ପ୍ରାଥମିକ ଉଦ୍ଦେଶ୍ୟ ।
ଜାତୀୟ ସ୍ତରରେ ଯୁବ ଗବେଷକମାନଙ୍କ ପାଇଁ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇ, ପିଏଚ୍ଡି କରିବା ଲାଗି ପ୍ରତ୍ୟକ୍ଷ ଭାବରେ ଏତେ ସଂଖ୍ୟାର ରିସର୍ଚ୍ଚ ଫେଲୋସିପ ପ୍ରଦାନ କରାଯିବା ଭାରତର ଏକ ଅନନ୍ୟ ବ୍ୟବସ୍ଥା । ଗବେଷଣା ପାଇଁ ଭାରତର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏବଂ ବିଜ୍ଞାନାଗାରରେ ଗବେଷଣାରତ ବୈଜ୍ଞାନିକମାନଙ୍କୁ ଉଦାର ଭାବରେ ଅନୁଦାନ ପ୍ରଦାନ କରାଯାଏ (ଗବେଷଣା ଅନୁଦାନ କ୍ଷେତ୍ରରେ ବିଶ୍ବ ସ୍ତରୀୟ ପ୍ରତିଯୋଗିତା ତୁଳନାରେ) ଏବଂ ଏଥିରେ ସଫଳତାର ହାର ମଧ୍ୟ ଯଥାର୍ଥରେ ଅଧିକ । ପ୍ରଚଳିତ ପଦ୍ଧତିରେ ଭଲ ପ୍ରଦର୍ଶନ କରିଥିବା ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଗବେଷଣା ଭିତ୍ତିଭୂମି ସ୍ଥାପନ ସକାଶେ ଭରପୂର ସହଯୋଗ ପ୍ରଦାନ କରାଯାଇଛି । ଗବେଷଣା କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ବାୟୋଟେକ୍ନୋଲୋଜି ବିଭାଗ, ଭାରତୀୟ କୃଷି ଗବେଷଣା ପରିଷଦ, ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ, ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପ୍ରଭୃତି ସଂସ୍ଥା ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହା ସହିତ ଗବେଷଣାରତ ବ୍ୟକ୍ତିବିଶେଷ ବା ଗବେଷକମାନଙ୍କର ଗୋଷ୍ଠୀକୁ ପ୍ରତ୍ୟକ୍ଷ ଅନୁଦାନ ପ୍ରଦାନ
କରାଯାଉଛି । ଏଭଳି ସହଯୋଗର ସଦୁପଯୋଗ କରି, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ, ଦିଲ୍ଲୀ ବିଶ୍ବବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ଭଳି କେନ୍ଦ୍ର ସରକାରଙ୍କ ଅନୁଦାନପ୍ରାପ୍ତ କେତେକ ସଂସ୍ଥା ଗୁଣାତ୍ମକ ଗବେଷଣା କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରତିପାଦିତ କରିବା ସହିତ ଶ୍ରେଷ୍ଠତ୍ବ ପ୍ରଦର୍ଶନକାରୀ ସଂସ୍ଥା ରୂପେ ବା ‘ଇନ୍ଷ୍ଟି୍ଚ୍ୟୁସନ୍ ଅଫ୍ ଏମିନେନ୍ସ’ (IoE)ର ମର୍ଯ୍ୟାଦାଜନକ ମାନ୍ୟତା ହାସଲ କରିପାରିଛନ୍ତି । ପୂର୍ବରୁ ‘ଇନ୍ଷ୍ଟିଚ୍ୟୁସନ ଅଫ୍ ଏମିନେନ୍ସ’
ମାନ୍ୟତା ହାସଲ କରିଥିବା ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏବଂ କେତେକ ଆଇଆଇଟି ଭଳି ପ୍ରମୁଖ ଗବେଷଣା ଅନୁଷ୍ଠାନ ଶ୍ରେଣୀରେ ଏହି ସବୁ ବିଶ୍ବବିଦ୍ୟାଳୟ ସ୍ଥାନିତ ହୋଇଛନ୍ତି । ଭାରତରେ ଏଭଳି ଅଧିକରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ଗବେଷଣା ବିଶ୍ବବିଦ୍ୟାଳୟରେ ପରିଣତ ହେବା ଆବଶ୍ୟକ ଏବଂ ନୂତନ ଶିକ୍ଷାନୀତି-2020ରେ ଏହି ପ୍ରସଙ୍ଗ ଉପରେ ସ୍ପଷ୍ଟ ଭାବରେ ଗୁରୁତ୍ବ ପ୍ରଦାନ କରାଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍ ଏବଂ ଗବେଷକ ଓ ବିଜ୍ଞାନୀମାନଙ୍କୁ ଗବେଷଣା ବାବଦରେ ଅନୁଦାନ ପ୍ରଦାନ ଯୋଗୁଁ ଭାରତର ଗବେଷଣା ସଂସ୍କୃତିରେ ବିଶେଷ ଉନ୍ନତି
ପରିଲକ୍ଷିତ ହୋଇଛି । ଗବେଷଣାରେ ଖର୍ଚ୍ଚ ହେଉଥିବା ସାଧାରଣ କରଦାତାଙ୍କ ଅର୍ଥ ସଂପର୍କରେ ଉତ୍ତରଦାୟିତ୍ବ ନିର୍ଦ୍ଧାରଣ ନିମନ୍ତେ ଏହି ଧାରାକୁ ଆହୁରି ସୁଚାରୁ ଢଙ୍ଗରେ ଅନୁସରଣ କରିବା ଆବଶ୍ୟକ । ଗବେଷଣାଲବ୍ଧ ଫଳର ଗୁଣମାନରେ ବିକାଶ ସହିତ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବର ସ୍ତର ବୃଦ୍ଧି ଦିଗରେ ନୂତନ ଶିକ୍ଷାନୀତି-2020ରେ ପ୍ରସ୍ତାବିତ ଜାତୀୟ ଗବେଷଣା ପ୍ରତିଷ୍ଠାନ (NRF) ସ୍ଥାପନ ଏକ ବଳିଷ୍ଠ ପଦକ୍ଷେପ । ଜାତୀୟ ଗବେଷଣା ପ୍ରତିଷ୍ଠାନ ଦ୍ବାରା ଗବେଷଣା କ୍ଷେତ୍ରରେ ପ୍ରାଥମିକତା ନିର୍ଦ୍ଧାରଣ, ରାଷ୍ଟ୍ରୀୟ ଆବଶ୍ୟକତା ନିରୂପଣ, ଅନ୍ତର୍ଜାତୀୟ ମାନର ଗବେଷଣା
ନିମନ୍ତେ ଗବେଷକମାନଙ୍କୁ ସହଯୋଗ ପ୍ରଦାନ ଏବଂ ଗବେଷଣା ପାଇଁ ପାଣ୍ଠି ହାସଲ କରିଥିବା ବ୍ୟକ୍ତିବିଶେଷ ବା ଗୋଷ୍ଠୀର ପ୍ରଦର୍ଶନ ତଦାରଖ କାର୍ଯ୍ୟ ସଂପନ୍ନ ହେବ । ଜାତୀୟ ଗବେଷଣା ପ୍ରତିଷ୍ଠାନ ଦେଶରେ ଗବେଷଣା ପରିବେଶର ସଂପୂର୍ଣ୍ଣ ରୂପାନ୍ତରଣ ନିମନ୍ତେ କାର୍ଯ୍ୟ କରିବ ବୋଲି ନୂତନ ଶିକ୍ଷାନୀତିରେ ଆଶା ରଖାଯାଇଛି ।
ଗବେଷଣା ସଂସ୍କୃତିର ପ୍ରତିପାଳନ
1000ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ଥିବା ଏକ ଦେଶରେ ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଅନୁଷ୍ଠାନ ଗବେଷଣା ବିଶ୍ବବିଦ୍ୟାଳୟରେ ପରିଣତ ହେବାର ଆବଶ୍ୟକତା ଅନୁଭୂତ ହୁଏ । ଏ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ଯତ୍ନ ସହକାରେ ରଣକୌଶଳ ପ୍ରସ୍ତୁତ କରିବା ଆବଶ୍ୟକ ଏବଂ ଏଥିରେ ଦୁହେଁ ଦୁହିଁଙ୍କ ପ୍ରୟାସର ପରିପୂରକ ଭୂମିକାରେ ରହି ଦ୍ବୈତ ଦାୟିତ୍ବ ସମ୍ବଳିତ କ୍ଷେତ୍ରକୁ ଏଡ଼ାଇ ଯିବା ସହିତ ପରସ୍ପରକୁ ସୁହାଇବା ଭଳି କ୍ଷେତ୍ର ଚିହ୍ନଟ କରିବା ଆବଶ୍ୟକ । ଗବେଷଣା କ୍ଷେତ୍ରରେ ନୈତିକ ଧାରା ବଜାୟ ରଖିବା ସହିତ ଉତ୍ତମ ଗୁଣମାନ ସମ୍ବଳିତ ଗବେଷଣାର ବିକାଶ ନିମନ୍ତେ ବିଭିନ୍ନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସଫଳତା ଭିତ୍ତିରେ ଭାରତ ସରକାର ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ । ବିଭିନ୍ନ ସରକାରୀ ସଂସ୍ଥାରେ ବିଦ୍ୟମାନ ଜଟିଳ ପ୍ରକ୍ରିୟା ଏବଂ ସ୍ଥାଣୁତା ପ୍ରସଙ୍ଗ ବିଚାରକୁ ନେଇ ସ୍ଥାୟୀ ନିଯୁକ୍ତି ସୁଯୋଗ ପ୍ରଦାନ କରୁଥିବା ଗବେଷଣାର ଏକ ମଡେଲ୍କୁ ଦାୟିତ୍ବ ଏବଂ ଉତ୍ତରଦାୟିତ୍ବ ଗଠନର ଏକ ମଡେଲ ରୂପେ
ବିକଶିତ କରିବା ଆବଶ୍ୟକ । ହୁଏତ ଏହା 5 କି 7 ବର୍ଷ ପାଇଁ କୌଣସି ବୃତ୍ତିଧାରୀଙ୍କ ସେବା ହାସଲ କରିବାର ଧାରା ସହ ସମାନ ହୋଇ ନପାରେ । ଯୁବ ବର୍ଗ ପାଇଁ ନିଶ୍ଚିତ ନିଯୁକ୍ତିର ପ୍ରତିଶ୍ରୁତି ସହିତ ସେମାନଙ୍କ ମନୋବଳ ବୃଦ୍ଧି ଏବଂ ସର୍ବନିମ୍ନ ଫଳାଫଳର ଆବଶ୍ୟକତା, ଏହାକୁ ଏକ ଉଭୟମୁଖୀ ମଡେଲ ରୂପେ ସ୍ଥାପିତ କରିପାରେ । ପ୍ରାରମ୍ଭିକ ସଂକେତରୁ ଜଣାଯାଏ ଯେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (IISER)ରେ ଏଭଳି ଏକ ଉଭୟମୁଖୀ ମଡେଲର ସଫଳ ପ୍ରୟୋଗ କରାଯାଇଛି । ଏହା ସହିତ ସଂପୃକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପକ୍ଷାରୁ ଏକ ସୁସ୍ଥ ଗବେଷଣା ସଂସ୍କୃତି ଗଠନକୁ ସୁନିଶ୍ଚିତ କରିନେବା ଉଚିତ । ଯେଉଁ ସଂସ୍କୃତିରେ ଗବେଷଣା ସହ ସଂପୃକ୍ତ ସମୀଚୀନ ପ୍ରଶ୍ନ ପଚାରିବାର ସୁଯୋଗ ରହିଛି, ଯେଉଁ ସଂସ୍କୃତିରେ ବୃଦ୍ଧିଶୀଳ କିମ୍ବା ସଂହତିରହିତ ସୃଜନଶୀଳତାର ବିକାଶ କରାଯାଏ,
ଯେଉଁ ସଂସ୍କୃତିରେ ଗବେଷଣା ପ୍ରାରମ୍ଭରୁ ହିଁ ଯୁବ ବର୍ଗଙ୍କୁ ଅନୁଦାନ ପ୍ରଦାନ କରାଯାଏ, ଯେଉଁ ସଂସ୍କୃତିରେ ସହଯୋଗିତାକୁ ପ୍ରୋତ୍ସାହିତ କରାଯାଏ, ଯେଉଁ ସଂସ୍କୃତିରେ ଭିନ୍ନ ଭିନ୍ନ ବିଭାଗ ମଧ୍ୟରେ ଅନ୍ତର୍ବିଭାଗ ଗବେଷଣାର ସୁଯୋଗ ରହିଛି, ଯେଉଁ ସଂସ୍କୃତିରେ ଗବେଷକମାନଙ୍କୁ ବଡ଼ ବଡ଼ ସମସ୍ୟାର ସମାଧାନ ପାଇଁ ସୁଯୋଗ ପ୍ରଦାନ କରାଯାଏ ଇତ୍ୟାଦି । ସେଭଳି ଏକ ସଂସ୍କୃତି ଗଠନ ସହିତ ଅଧିକରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନରେ ଏହାର ପ୍ରତିପାଳନ କରାଯିବା ଆବଶ୍ୟକ, ଯାହା ଫଳରେ କି ଭାରତ ବିଶ୍ବସ୍ତରରେ ପ୍ରତିଯୋଗିତା କରିପାରିବ । ବିଭିନ୍ନ ରାଜ୍ୟ ପରିଚାଳିତ ବିଶ୍ବବିଦ୍ୟାଳୟର ସଂଖ୍ୟା ଅଧିକ ଏବଂ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାବଳୀ ସଂପୂର୍ଣ୍ଣ
ଭିନ୍ନ । ଅଧିକାଂଶ ରାଜ୍ୟ ବିଶ୍ବବିଦ୍ୟାଳୟରେ ପର୍ଯ୍ୟାପ୍ତ ସଂଖ୍ୟକ ଅଧ୍ୟାପକ ନଥିବା ସମେତ ସମ୍ବଳର ଅଭାବ ଲାଗି ରହିଥିବା ବେଳେ ସେମାନେ ଅଧିକରୁ ଅଧିକ ଯୁବ ବର୍ଗଙ୍କୁ ନେବା ଲାଗି ଆଗ୍ରହ ପ୍ରକାଶ କରିଥାଆନ୍ତି । ଏହି ସବୁ ବିଶ୍ବବିଦ୍ୟାଳୟରେ କଦବା କେମିତି ଅଧ୍ୟାପକ ନିଯୁକ୍ତି କରାଯାଏ । ବେଳେବେଳେ ଏହା 10-20 ବର୍ଷ ଭଳି ଅସ୍ବସ୍ତିକର ଅନ୍ତରାଳରେ କରାଯାଇଥାଏ ଏବଂ ଏହା ଦ୍ବାରା ଗବେଷଣା କ୍ଷେତ୍ରରେ ସୁଯୋଗ ନଷ୍ଟ ହୋଇଥାଏ । ପର୍ଯ୍ୟାପ୍ତ ଭିତ୍ତିଭୂମି ଅଭାବରୁ ଅନେକ ବିଶ୍ବବିଦ୍ୟାଳୟ ପରିସରରେ ଗବେଷଣା ସଂପର୍କରେ ଚିନ୍ତା କରିବାର ଅବକାଶ ନଥାଏ । ଏଭଳି ସ୍ଥିତିରେ ଯୁବ ଗବେଷକମାନେ ସେମାନଙ୍କ ଗବେଷଣା ଲକ୍ଷ୍ୟ ପୂରଣ ନିମନ୍ତେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡ଼ିବା ହିଁ ସାର ହୋଇଥାଏ । ଅବିରତ ଇଣ୍ଟରନେଟ୍ ସଂଯୋଗ କଥା ଛାଡ଼ନ୍ତୁ, କେତେକ ବିଶ୍ବବିଦ୍ୟାଳୟ ପରିସରରେ ପାଣି ଓ ବିଦ୍ୟୁତ ଯୋଗାଣ ସେବାରେ ମଧ୍ୟ ଅନିୟମିତତା ଲାଗି ରହିଥାଏ । ଗବେଷଣାର ଏକ ସଂସ୍କୃତି ଗଠନ ସହିତ ଏହାର ପ୍ରତିପୋଷଣ ନିମନ୍ତେ ଏବଂ ଗବେଷଣା ବିଶ୍ବବିଦ୍ୟାଳୟର ମାନ୍ୟତା ହାସଲ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ବିଭିନ୍ନ ରାଜ୍ୟ ସରକାର ନିଜ ନିଜର ବିଶ୍ବବିଦ୍ୟାଳୟ ପରିସରରେ ସ୍ଥିତି ସୁଧାରିବାର ଜରୁରୀ ଆବଶ୍ୟକତା ରହିଛି । ବିଭିନ୍ନ ରାଜ୍ୟର ବିଶ୍ବବିଦ୍ୟାଳୟ ପାଇଁ ଅନୁକରଣୀୟ ମଡେଲ ରୂପେ ଆନ୍ନା ବିଶ୍ବବିଦ୍ୟାଳୟ, ପୁନେର ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟ, ଯାଦବପୁର ବିଶ୍ବବିଦ୍ୟାଳୟ, ପଞ୍ଜାବ ବିଶ୍ବବିଦ୍ୟାଳୟ ପ୍ରଭୃତିକୁ ନିଆଯାଇପାରେ । ଶିକ୍ଷା ଏକ ଯୁଗ୍ମ ତାଲିକାଭୁକ୍ତ ବିଷୟ ହୋଇଥିବାରୁ, ବିଭିନ୍ନ ରାଜ୍ୟ ସରକାରଙ୍କ ସହିତ ବ୍ୟାପକ ସମନ୍ବୟ ସ୍ଥାପନ ପୂର୍ବକ ଭାରତକୁ ଏକ ଗବେଷଣା ସାମର୍ଥ୍ୟ ସଂପନ୍ନ ଦେଶ ରୂପେ ଗଢ଼ି ତୋଳିବାର ସ୍ବପ୍ନକୁ ସାକାର କରିବା ଏବଂ ଦେଶର ଆବଶ୍ୟକତା ପୂରଣ କରିପାରୁଥିବା ଅନ୍ତର୍ଜାତୀୟ ମାନର ଗବେଷଣା ଜାରି ରଖିବା ପାଇଁ ଭାରତ ସରକାର ପ୍ରୟାସ କରିବା ଆବଶ୍ୟକ । ଏଥିପାଇଁ ଏକ ଦକ୍ଷ ପରିଚାଳନା ପଦ୍ଧତିର ଆବଶ୍ୟକତା ରହିଛି, ଯେଉଁଥିରେ କି ମୁହାଁମୁହିଁ ବସି ବୈଠକ ଆୟୋଜନ ପରିବର୍ତ୍ତେ, ଆଙ୍ଗୁଠି ଟିପରେ (ଲାପ୍ଟପ୍ରେ କିମ୍ବା ମୋବାଇଲରେ) ହିଁ ମୂଲ୍ୟାଙ୍କନର ସୁବିଧା ରହିଥିବ । ବିଶ୍ବ ମହାମାରୀ ସମୟରେ ଭିଡିଓ କନ୍ଫରେନ୍ସ ଜରିଆରେ ଆୟୋଜିତ ବୈଠକରୁ ଏଭଳି ନୂତନ ସ୍ବାଭାବିକ ଧାରାର ସୂଚନା ମିଳୁଛି ଯେଉଁଠାରେ କି ସ୍ବଳ୍ପ ସମୟର ବୈଠକରେ ଯୋଗ ଦେବା ପାଇଁ ଦୀର୍ଘ ସମୟ ଧରି ଯାତ୍ରା କରିବାର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇପାରିବ ଏବଂ ଏହା ଫଳରେ ଉଭୟ ଶକ୍ତି ଏବଂ ସମ୍ବଳର ସଂରକ୍ଷଣ କରାଯାଇପାରିବ, ଏବଂ ବଡ଼କଥା ହେଉଛି ଯେ ଏହା ଦ୍ବାରା କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ।
ପ୍ରଫେସର ଆପ୍ପା ରାଓ ପୋଦିଲେ, କୁଳପତି ଏବଂ ଜେ.ସି. ବୋଷ ଫେଲୋ, ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ, ହାଇଦ୍ରାବାଦ