ଲକ୍ଷ୍ନୌ: ହାସରସ ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭିଣୁ ପୁଣି ସେଠାରୁ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ନିଜ ସମ୍ପର୍କୀୟ ଭାଇ ହିଁ କରିଛି 6ବର୍ଷ ଝିଅର ସର୍ବନାଶ । ଶେଷରେ ମେଡିକାଲରେ ଆଖି ବୁଜିଛି ଶିଶୁ । ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ।
ସୂଚନା ମୁତାବକ, ଗତ 10 ଦିନ ପୂର୍ବେ ନାବାଳିକା ସମ୍ପର୍କୀୟ ଭାଇ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲା । ଏନେଇ ପୀଡିତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ତେବେ ଚିକିତ୍ସାଧିନ ଅବସ୍ଥାରେ ଶେଷରେ ଜୀବନ ଯୁଦ୍ଧରେ ମଙ୍ଗଳବାବାର ପୀଡିତା ହାରି ଯାଇଛି । ଅନ୍ୟପଟେ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ବିଳମ୍ବ କରିବାରୁ ଏସଏସପି ଆଲିଗଡ ଜି ମୁନିରାଜ ଇଗଲାସର ଷ୍ଟେସନ ହାଉସ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି।
ଏନେଇ ପରିବାର ପକ୍ଷରୁ ନାବାଳିକାର ମୃତଦେହକୁ ସାଦାବାଦ-ବଲଦେବ ରାସ୍ତାରେ ରଖି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଅଭିଯୁକ୍ତ ଓ ତାର ପରିବାର ସହିତ, ଦୋଷୀ ପୋଲିସ କର୍ମଚାରୀଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା। ଏହି ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବା ପାଇଁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସୂଚନା ଥାଉକି, ଗତ କିଛି ବର୍ଷ ତଳେ ନାବାଳିକାର ମାଙ୍କ ମୃତ୍ୟୁ ହୋଇଥିଲା । ପରେ ପୀଡିତା ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲେ ।