ଲକ୍ଷ୍ନୌ: କୁହାଯାଏ ପ୍ରେମରେ ବୟସ ଦେଖାଯାଇନି, ପ୍ରେମ ସମୟ କାଳ ପାତ୍ର କିଛି ମାନେନି । ତାହା ଏବେ ପ୍ରମାଣ ହୋଇଛି । 75 ବର୍ଷର ଜଣେ ବୃଦ୍ଧ 42 ବର୍ଷୀୟ ମହିଳାଙ୍କୁ ପ୍ରେମବିବାହ କରିଛନ୍ତି । ବୃଦ୍ଧ ଜଣକ ମହିଳାଙ୍କୁ ଦୀର୍ଘଦିନ ଧରି ପ୍ରେମକରିବା ପରେ ଶେଷରେ ବିବାହ କରିଛନ୍ତି । ବୃଦ୍ଧଙ୍କ ବାହାଘର ଦେଖିବା ପାଇଁ ଅଞ୍ଚଳରେ ପ୍ରବଳ ଲୋକଙ୍କ ଭିଡ ଜମିଥିଲା ।
ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ପ୍ରତାପଗଡ ରାଣୀଗଞ୍ଜର ପଟହାଟିଆ ଗାଁର 75 ବର୍ଷର ବୃଦ୍ଧ ନାରାୟଣ ଯାଦବ ଜଣେ 42 ବର୍ଷର ମହିଳାଙ୍କୁ ବିବାହ କରିଛନ୍ତି । ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲା । ମହିଳାଜଣକ ନାରାୟଣଙ୍କୁ ଭେଟିବା ପାଇଁ ମଧ୍ୟ ତାଙ୍କ ଘରକୁ ଆସୁଥିଲେ । ଏନେଇ ନାରାୟଣଙ୍କ ପୁଅ ଓ ପରିବାର ଲୋକେ ଜାଣିବା ପରେ ତାଙ୍କୁ ପଚରା ଉଚରା କରିଥିଲେ । ଉତ୍ତରରେ ନାରାୟଣ ସମ୍ପୃକ୍ତ ମହିଳାଙ୍କୁ ପ୍ରେମ କରନ୍ତି ଏବଂ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ ।
ଏହାପରେ ପରିବାରବର୍ଗଙ୍କ ସମ୍ମତ୍ତି କ୍ରମେ ଅକ୍ଟୋବର 26 ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ବାହାଘରକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ