ମୁମ୍ବାଇ: ବର୍ତ୍ତମାନ ମହାମାରୀ କୋରୋନାରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି । ତେବେ ମୁମ୍ବାଇରେ ଗତ ଦୁଇରୁ ତିନି ମାସ ଭିତରେ 70 ଜଣ କୋରୋନା ରୋଗୀ ନିଖୋଜ ଥିବା ବିଏମସି ପକ୍ଷରୁ ସୂଚନା ମିଳିଛି । ନିଖୋଜ ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବା ପାଇଁ ପୋଲିସଠାରୁ ସାହାଯ୍ୟ ମାଗିଛି ବିଏମସି ।
ବିଏମସି ଏହି ତାଲିକା ପ୍ରକାଶ କରିବା ପରେ ଜଣାପଡିଥିଲା ଯେ ଜଣେ ନିଖୋଜ ରୋଗୀର ନାମ ସହିତ ଦିଆଯାଇଥିବା ଫୋନ୍ ନମ୍ବର ମଧ୍ୟ ଭୁଲ । ସେଥି ମଧ୍ୟରୁ ଅନେକ ଫୋନ ନମ୍ବର ସ୍ବିଚ ଅଫ ରହିଥିବା ଜଣାପଡିଛି ।
ନିଖୋଜ ରୋଗୀଙ୍କ ସମସ୍ତ ମାମଲା ଉତ୍ତର ମୁମ୍ବାଇର ମାଲାଡ ଅଞ୍ଚଳରୁ ରିପୋର୍ଟ କରାଯାଇଛି । ଯାହା ସହରର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ରହିଛି । ଏପଟେ ଏନେଇ ଲୋକମାନଙ୍କୁ ଭୟଭୀତ ନହେବାକୁ କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଅସଲମ ଶେଖ ।
ଏପଟେ ବିଏମସି କମିଶନର ଏସ ଚହଲ ସୂଚନା ଦେଇଛନ୍ତି, ବର୍ତ୍ତମାନ ସମସ୍ତ ରୋଗୀଙ୍କୁ ଟ୍ରାକ୍ କରୁଛୁ । ସେହି ରୋଗୀଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଆସିଥିବା ବ୍ୟକ୍ତିଙ୍କ ଜରିଆରେ ସେମାନଙ୍କୁ ଖୋଜିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
କୋଭିଡ-19 ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସହର ମୁମ୍ବାଇ । ବର୍ତ୍ତମାନ ମୁମ୍ବାଇରେ 67,000 ରୁ ଅଧିକ ମାମଲା ଏବଂ 3,311ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇ ସାରିଛି ।