ଭୋପାଳ: ମଧ୍ୟପ୍ରଦେଶର ସତନାରେ କାର ଓ ଡମ୍ଫର ଟ୍ରକ ମୁହାଁମୁହିଁ ହେବା ଫଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣା 7ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ରେୱା ମେଡିକାଲରେ ଉର୍ତ୍ତି କରାଯାଇଛି ।
ସୂଚନାନୁସାରେ,ରେୱା ଜିଲ୍ଲାର ଏକ ପରିବାର ପାରିବାରିକ ଉତ୍ସବରୁ କାର ଯୋଗେ ଘରକୁ ଫେରୁଥିବା ସମୟରେ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପରିବାରର ସାତଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ଭିତରେ ଜଣେ ଶିଶୁ ଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଅନ୍ୟ ପାଞ୍ଚଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ରେୱା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାଟି ରବିବାର ରାତି ପ୍ରାୟ 2ଟାରେ ଜିଲ୍ଲାଠାରୁ 60କିଲୋମିଟର ଦୂର ଭାଲାଇୟା ନିକଟରେ ଘଟିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ