ନୂଆଦିଲ୍ଲୀ: ଚଳିତ ବର୍ଷ ଦିଲ୍ଲୀରେ କମ ରହିଛି ଡେଙ୍ଗୁ ପ୍ରକୋପ । ସରକାରୀ ତଥ୍ୟ ଅନୁଯାୟୀ, ଏ ବର୍ଷ ରାଜଧାନୀ ଦିଲ୍ଲୀରେ 600 ରୁ ଅଧିକ ଡେଙ୍ଗୁ ରୋଗ ରେକର୍ଡ କରାଯାଇଛି । ଯାହା ପୂର୍ବ ବର୍ଷ ତୁଳନାରେ କମ୍ ରହିଛି ।
ଦକ୍ଷିଣ ଦିଲ୍ଲୀ ମୁନିସିପାଲିଟି କର୍ପୋରେସନ(ଏସଡିଏମସି) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର 31ତାରିଖ ମଧ୍ୟରେ ଦିଲ୍ଲୀରେ 612 ଟି ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି । ସେହିପରି ମ୍ୟାଲେରିଆ ଓ ଚିକନଗୁନିଆ ରୋଗୀଙ୍କ ସଂଖ୍ୟା ଯଥାକ୍ରମେ 210 ଏବଂ 86 ରହିଥିବା ନେଇ ନୋଡାଲ ଏଜେନ୍ସିର ତଥ୍ୟରୁ ଜଣାପଡିଛି । ଭେକ୍ଟର ଦ୍ବାରା ବ୍ୟାପୁଥିବା ରୋଗ ବିଷୟରେ ଏହି ଏଜେନ୍ସି ତଥ୍ୟ ସଂଗ୍ରହ କରିଥାଏ ।
2019ରେ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 1 ହଜାର,69 ଥିଲାବେଳେ ସେହି ବର୍ଷ ରିପୋର୍ଟ ହୋଇଥିବା ମୋଟ ଭେକ୍ଟର ଜନିତ ରୋଗୀ ସଂଖ୍ୟା 2 ହଜାର 36 ଥିଲା ଏବଂ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଏସଡିଏମସିର ତଥ୍ୟରୁ ଜଣାପଡିଛି ।
ମ୍ୟାଲେରିଆ, ଡେଙ୍ଗୁ ଏବଂ ଚିକନଗୁନିଆ ପୀଡିତ ରୋଗୀଙ୍କୁ ଉଚ୍ଚ ଜ୍ବର ହୋଇଥାଏ । ଯାହା କୋଭିଡ-19 ର ଏକ ସାଧାରଣ ଲକ୍ଷଣ । ତେଣୁ ଏହି ରୋଗରେ ଆକ୍ରାନ୍ତ ଲୋକ କୋରୋନା ସଂକ୍ରମିତ ମଧ୍ୟ ହୋଇପାରନ୍ତି ବୋଲି ଡାକ୍ତର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ