ନୂଆଦିଲ୍ଲୀ: ସରିଲା ପଞ୍ଚମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ଆସନରେ ସନ୍ଧ୍ୟା ୬ଟା ସୁଦ୍ଧା ଚାଲିଥିଲା ମତଦାନ । ମତଦାନ ଶେଷ ହେବା ସହ ୬୫୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ହୋଇଯାଇଛି ସିଲ । ଜମ୍ମୁ କଶ୍ମୀର ଓ ପଶ୍ଚିମବଙ୍ଗରେ ଦେଖା ଦେଇଥିଲା ହିଂସା କାଣ୍ଡ । ଜମ୍ମୁ କାଶ୍ମୀର ସ୍ଥିତ ପୁଲୱାମାର ଏକ ମତଦାନ କେନ୍ଦ୍ରରେ ହୋଇଥିଲା ଗ୍ରେନେଡ ମାଡ । ଏହାସହ ପଶ୍ଚିମବଙ୍ଗରେ ବିଭିନ୍ନ ସ୍ଥାନରେ ଦେଖା ଦେଇଥିଲା ହିଂସାକାଣ୍ଡ । ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ୬୦.୯୩ ପ୍ରତିଶତ ହୋଇଛି ମତଦାନ ।
ପଞ୍ଚମ ପର୍ଯ୍ୟାୟରେ ବିହାରର ୫, ଝାଡଖଣ୍ଡର ୪, ଜମ୍ମୁ କଶ୍ମୀର ୨, ମଧ୍ୟପ୍ରଦେଶର ୭, ରାଜସ୍ଥାନର ୧୩, ଉତ୍ତର ପ୍ରଦେଶର ୧୪ ଓ ପଶ୍ଚିମବଙ୍ଗର ୭ଟି ଆସନରେ ମତଦାନ ହୋଇଯାଇଛି । ଏହି ପର୍ଯ୍ୟାୟରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସ୍ମୃତି ଇରାନୀ, ଜୟନ୍ତ ସିହ୍ନା, ରାଜବର୍ଦ୍ଧନ ରାଠୋର, ରାଜୀବ ପ୍ରତାପ ଋଡି, ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନାଙ୍କ ପରି ହେଭିଓ୍ବେଟଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି ।
ସନ୍ଧ୍ୟା ୬ଟା ସୁଦ୍ଧା ଉତ୍ତର ପ୍ରଦେଶରେ ହୋଇଛି ୫୩ ପ୍ରତିଶତ ମତଦାନ । ସେହିପରି ପଶ୍ଚିମବଙ୍ଗରେ ୭୪ ପ୍ରତିଶତ, ମଧ୍ୟ ପ୍ରଦେଶରେ ୬୨ ପ୍ରତିଶତ, ରାଜସ୍ଥାନରେ ୬୩ ପ୍ରତିଶତ, ବିହାରରେ ୫୬.୮୬ ପ୍ରତିଶତ ଓ ଜମ୍ମୁ କଶ୍ମୀରରେ ୧୭ ପ୍ରତିଶତ ହୋଇଛି ମତଦାନ ।
ଷଷ୍ଠ ପର୍ଯ୍ୟାୟ ପାଇଁ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ପାଇଁ ମେ ୧୯ରେ ମତଦାନ ହେବାର ଅଛି । ଏହାସହ ମେ ୨୩ରେ ହେବ ଭୋଟ ଗଣତି । ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୬୯.୫ ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ ୬୯.୪୪ ପ୍ରତିଶତ, ତୃତୀୟ ପର୍ଯ୍ୟାୟରେ ୬୮.୪ ପ୍ରତିଶତ ଓ ୪ଟି ପର୍ଯ୍ୟାୟରେ ୬୫.୫୧ ପ୍ରତିଶତ ମତଦାନ ହୋଇଥିଲା ।