ମୁମ୍ବାଇ: ମୁମ୍ବାଇର ଜଣେ 57 ବର୍ଷୀୟ ପୋଲିସ କନେଷ୍ଟବଳ କୋରୋନାରେ ପ୍ରାଣ ହରାଇଥିବା ଜଣାପଡିଛି । ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣ ହେତୁ ପୋଲିସ୍ କର୍ମୀଙ୍କ ମୃତ୍ୟୁର ଏ ହେଉଛି ପ୍ରଥମ ଘଟଣା । 15 ଜଣ ଅଧିକାରୀଙ୍କ ସମେତ ମୋଟ 96 ପୋଲିସ କର୍ମଚାରୀ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଅଧିକାରୀମାନେ ଦିନକ ପୂର୍ବରୁ କହିଥିଲେ।
ତେବେ ମୃତ କନଷ୍ଟେବଳ ଜଣଙ୍କ ପଶ୍ଚିମ ଉପକଣ୍ଠରେ ଥିବା ଏକ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ସେ ଦକ୍ଷିଣ ମୁମ୍ବାଇ ୱର୍ଲିନାକା ଅଞ୍ଚଳର ବୋଲି ଜଣାପଡିଛି । ମହାରାଷ୍ଟ୍ରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ଏବେ ସୁଦ୍ଧା 7628 ଜଣ ଆକ୍ରାନ୍ତ ହୋଇଥିବାବେଳେ 323 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।