ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜନୀତିରେ କ୍ରମାଗତ ଭୂମିକମ୍ପ ଯୋଗୁଁ ଦୋହଲୁଛି ଟିଏମସି ଗଡ । ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା ଦେଇ ବିଜେପିରେ ସାମିଲ ହୋଇଯାଇଛନ୍ତି ଟିଏମସି ସରକାରର ପୂର୍ବତନ ଜଙ୍ଗଲମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ସମେତ 5 ବିଦ୍ରୋହୀ ନେତା ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ପୂର୍ବତନ ଟିଏମସି ନେତା ରାଜୀବ ବାନାର୍ଜୀଙ୍କ ସମେତ ରୂଦ୍ରାଣୀ ଘୋଷ, ରତୀନ ଚକ୍ରବର୍ତ୍ତୀ, ବୈଶାଳୀ ଡାଲମିଆ ଓ ପ୍ରବୀର ଘୋଷାଲ ବିଜେପିରେ ସାମିଲ ହୋଇଛନ୍ତି ।
ନିକଟରେ ତୃଣମୂଳ କଂଗ୍ରେସ ଛାଡିଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ଶନିବାର ଦଳର କିଛି ବିଧାୟକ ଓ ନେତାଙ୍କ ସହ ଦିଲ୍ଲୀ ପହଞ୍ଚିଥିଲେ । ଏଠାରେ ଏମାନେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଥିଲା ।
ଟିଏମସିର ଏହି ବିଦ୍ରୋହୀ ନେତାମାନେ ବିଜେପି ନେତା ମୁକୁଲ ରୟ ଓ କୈଳାଶ ବିଜୟବର୍ଗୀୟଙ୍କ ସହ ମିଶି ଦିଲ୍ଲୀ ଆସିଥିଲେ । ଏମାନେ ସମସ୍ତେ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ।