ନୂଆଦିଲ୍ଲୀ: ଭୁଟାନ-ଭାରତ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଶନିବାର ଭୁଟାନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ଗାର୍ଡ ଅଫ ଅନରରେ ସମ୍ମାନିତ କରାଯାଇଛି । ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗଙ୍କ ମଧ୍ୟରେ 5 ଟି ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷାର ହୋଇଛି । ଏହାପରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 130 କୋଟି ଭାରତୀୟଙ୍କ ହୃଦୟରେ ଭୂଟାନ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି । ମୋର ଦ୍ବିତୀୟ କାର୍ଯ୍ୟକାଳର ଆରମ୍ଭରେ ଭୁଟାନ ଆସିବା ମୋ ପାଇଁ ସୌଭାଗ୍ୟର କଥା । ଏଥିପାଇଁ ମୁଁ ବହୁତ ଖୁସୀ । ଭାରତ ନିଜ ପଡୋଶୀ ଦେଶ ଭୁଟାନ ସହ ମିଳିତ ଭାବରେ ବିକାଶ ଦିଗରେ ଆଗକୁ ବଢୁଥିବା କହିଛନ୍ତି ମୋଦି ।
ସେ ଆହୁରି କହିଛନ୍ତି ଯେ, ଭାରତ ଏବଂ ଭୁଟାନର ସମ୍ବନ୍ଧ ଉଭୟ ଦେଶର ଲୋକଙ୍କ ପ୍ରଗତି ଏବଂ ସୁରକ୍ଷାକୁ ନେଇ ପ୍ରତିଶୃତିବଦ୍ଧ । ଭୁଟାନର 5 ବର୍ଷିୟ ଯୋଜନାରେ ଭାରତର ସହଯୋଗ ଜାରି ରହିବ । ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଏବଂ ଦୁରଦର୍ଶିତା ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ ଭିତରେ ଥିବା ଦ୍ବିପାକ୍ଷିକ ସମ୍ବନ୍ଧକୁ ମାର୍ଗ ଦର୍ଶନ କରିଛି । ଏହି ଅବସରରେ ଭୁଟାନରେ ରୂପେ କାର୍ଡ ଲଞ୍ଚ କରିଛନ୍ତି ମୋଦି । ସେ କହିଛନ୍ତି, ଭୁଟାନରେ ରୂପେ କାର୍ଡର ଲଞ୍ଚ କରିଥିବାରୁ ମୁଁ ବହୁତ ଖୁସୀ ଅନୁଭବ କରୁଛି । ଏହାଦ୍ବାରା ଡିଜିଟାଲ ପ୍ଲାଟଫର୍ମ ଏବଂ ବ୍ୟବସାୟ ତଥା ପର୍ଯ୍ୟଟନକୁ ଅନେକ ଲାଭ ମିଳିବ ବୋଲି ମୋଦି କହିଛନ୍ତି ।
ଏହାସହ ଭୁଟାନରେ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ସେରିଙ୍ଗ ହାଇଡ୍ରୋଇଲେକ୍ଟ୍ରିକ ପାୱାର ପ୍ଲାଣ୍ଟର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ହାଇଡ୍ରୋଇଲେକ୍ଟ୍ରିକ ପାୱାର ଉଭୟ ଦେଶ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ । ଉଭୟ ଦେଶର ସହଯୋଗରେ ଭୁଟାନରେ ହାଇଡ୍ରୋଇଲେକ୍ଟ୍ରିକ ପାୱାରର ଉତ୍ପାଦନ କ୍ଷମତା 200 ମେଗାୱାଟକୁ ବୃଦ୍ଧି ହୋଇଛି ମୋଦି କହିଛନ୍ତି ।