ବର୍ତ୍ତମାନ କୋଭିଡ୍-୧୯ର ପ୍ରତିରୋଧ ଲାଗି ଭାରତ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଲକ୍ଡାଉନ୍ ପରିସ୍ଥିତିରେ ଦେଶ ସାରା ଶିଶୁଙ୍କ ମାନସିକ ସ୍ଵାସ୍ଥ୍ୟ, ଶାରିରୀକ ସୁସ୍ଥତା, ପାଠପଢ଼ା ଏବଂ ସୁରକ୍ଷା ପ୍ରଭାବିତ ହୋଇଛି ବୋଲି କହିଲେ ତାହାକୁ କେହି ହସରେ ଉଡ଼ାଇ ପାରନ୍ତି କିନ୍ତୁ ଏହାର ଗଭୀରତାକୁ କେହି ଅନୁଧ୍ୟାନ କଲେ ସେଥିରେ ଆବାକ୍ ହୋଇଯିବା ନିଶ୍ଚିତ। ଅଠର ବର୍ଷ ବୟସ ତଳକୁ ଦେଶର ସମୁଦାୟ ୪କୋଟି ୪୪ଲକ୍ଷ ଶିଶୁଙ୍କ ଭିତରୁ ୪ କୋଟି ଶିଶୁ ଯେଉଁମାନେ ଗରିବ ପରିବାରରୁ ଆସିଛନ୍ତି ସେମାନେ ଏହି ଲକ୍ଡାଉନ୍ ଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି ବୋଲି ୟୁନିସେଫ୍ ଦର୍ଶାଇନ୍ତି। ଏପରିକି ଯେଉଁ ସ୍ଵାସ୍ଥ୍ୟଗତ ତଥା ପୌଷ୍ଟିକ ବିପର୍ଯ୍ୟୟର ସେମାନେ ସମ୍ମୁଖୀନ ହୋଇଛନ୍ତି ତାହା ଆଗକୁ ଶିଶୁ ଅଧିକାର ବିଷୟକୁ କ୍ଷୁଣ୍ଣ କରିବା ଆଶଙ୍କା ସୃଷ୍ଟି ହୋଇଛି। ସହରର ବିଭିନ୍ନ ଫ୍ଲଇଓଭର ତଳେ, ରେଳଲାଇନ୍ କଡ଼ରେ, ସରୁ ଗଳି କନ୍ଦିରେ ବିନା କୌଣସି ନିର୍ଦିଷ୍ଟ ଘରେ ଖୋଲା ଆକା ତଳେ ରହୁଥିବା ଶିଶୁମାନେ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି। କେବଳ ଦିଲ୍ଲୀରେ ହିସାବ କଲେ ଏହି ସଂଖ୍ୟା ଅତିକମ୍ରେ ୭୦ ହଜାରରୁ ଲକ୍ଷେ ପାର ହେବ। ଏହି ଶିଶୁମାନେ ଏମିତି ସଙ୍କଟାପନ୍ନ ଅବସ୍ଥାରେ ରହିଛନ୍ତି ଯେ ତାହା ଦେଶର ଭବିଷ୍ୟତ ଲାଗିସମ୍ପୂଣ୍ଣ ବିପଜ୍ଜନକ।
ଈଟିଭି ଭାରତକୁ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ୟୁନିସେଫ୍ ଭାରତ ପ୍ରତିନିଧି ଡ. ୟସ୍ମିନ୍ ଅଲି ହକ୍ କହିଛନ୍ତି, ‘କୋଭିଡ୍ ୧୯ ମହାମାରୀ ଭାରତର ଲକ୍ଷ ଲକ୍ଷ ସଂଖ୍ୟାରେ ଶିଶୁ ଏହି କୋଭିଡ୍ ୧୯ ମହାମାରୀରେ ପ୍ରଭାବିତ। ବାସ୍ତବରେ ସେହି ଶିଶୁ ଅଧିକ ପ୍ରଭାବିତ ଏବଂ ସମ୍ବେଦନଶୀଳ ଯେଉଁମାନେ ସହରତଳି ଅଞ୍ଚଳରେ ଖୋଲା ଛାତ ତଳେ ରହୁଛନ୍ତି ବା ଅବହେଳିତ ହୋଇ କୌଣସି ବସ୍ତିରେ ରହୁଛନ୍ତି, ଅଥବା ଦାଦନ ଶ୍ରମିକ ହୋଇ ଯାଇଥିବା ତାଙ୍କ ବାପା ମା’ଙ୍କ ସହ କେଉଁଠି ଅଟକ ପଡ଼ିଛନ୍ତି’। ଉଭୟ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସକମାନଙ୍କ ସହ ଏକାଠି ୟୁନିସେଫ୍ ଏହିଭଳି ସମ୍ବେଦନଶୀଳ ଶିଶୁଙ୍କୁ ଠାବ କରି ସେମାନଙ୍କ ନିରାପଦ ରହିବା ଓ ଯତ୍ନ ପାଇଁ ଚେଷ୍ଟା କରୁଛି। ବିଶେଷକରି ଯେଉଁ ଶିଶୁମାନେ ସେମାନଙ୍କ ବାପା ମା ବା ଯତ୍ନ ନେଉଥିବା ଲୋକଠୁ ଅଲଗା ରହିଛନ୍ତି ସେମାନଙ୍କ ପାଇଁ ଏହି ସୁବିଧା କରାଯାଇଛି’। ସେମାନଙ୍କ କଷ୍ଟ କ’ଣ? ଏହିଭଳି ଅବହେଳିତ ଶିଶୁମାନେ ଅନେକ ଘରୋଇ ନିର୍ଯାତନାର ଶିକାର ହେଉଛନ୍ତି। ଅନେକ ସମୟରେ ସେମାନଙ୍କୁ ଭୋକିଲା ପେଟରେ ପରିତ୍ୟକ୍ତ ହୋଇ ଶୋଇବାକୁ ପଡ଼ୁଛି ଅଥବା ବିଭିନ୍ନ ସୟମରେ ସେମାନେ ଲିଙ୍ଗ ଭିତ୍ତିକ ବା ଯୌନ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଏହି ଶିଶୁମାନେ ହେଲ୍ପ ଲାଇନ୍କୁ ଫୋନ୍ କରି ସହାୟତା ମାଗୁଛନ୍ତି। ଏହାବାଦ୍ ବଞ୍ଚିବା ପାଇଁ ଖାଦ୍ୟ ବି ମାଗୁଛନ୍ତି।
ସରକାରଙ୍କ ଦ୍ଵାରା ପରିଚାଳିତ ଚାଇଲ୍ଡଲାଇନ୍ କଲ୍ ସେବାରେ ୩ଲକ୍ଷରୁ ଅଧିକ କଲ୍ ଏହି ସମୟରେ ଗ୍ରହଣ ହେବା ବିଷୟକୁ ଉଲ୍ଲେଖ କରି ହକ୍ କହିଛନ୍ତି, ଯେତେବେଳେ ସ୍କୁଲ୍ ବନ୍ଦ ଅଛି, ନିୟମିତ ରୁଟିନ୍ ବାଧା ପାଇଛି ସେତେବଳେ ଶିଶୁଙ୍କ ମାନସିକ ଏବଂ ଶାରିରୀକ ସ୍ଵାସ୍ଥ୍ୟ ଅବନତୀ ଘଟିଛି। ଏହା ଏକ ଉଦ୍ବେଗର ବିଷୟ। ୟୁନିସେଫ୍ ଏହି ସମୟରେ ସରକାରଙ୍କ ଚାଇଲ୍ଡଲାଇନ୍ ସେବାକୁ ଦକ୍ଷତା ଭିତ୍ତିକ ତାଲିମ ଦେଇ ଉପସ୍ଥିତ ମାନବ ସମ୍ବଳକୁ ଯେଉଁ କଲ୍ଗୁଡ଼ିକ ଗ୍ରହଣ ହେଉଛି ସେଠାରେ ଆବଶ୍ୟକ ସେବା ପହଞ୍ଚାଇବାରେ ସହାୟକ ହେଉଛି। ଏହା ସହ ଏହି ସମୟରେ ସମ୍ପୃକ୍ତ ଶିଶୁମାନଙ୍କ ମାନିସିକ ଯତ୍ନ ଓ ଶିଶୁଙ୍କୁ କିପରି ଘରୋଇ ହିଂସାରୁ ରକ୍ଷା କରାଯାଇପାରିବ ସେଥିନେଇ ୟୁନିସେଫ୍ ପକ୍ଷରୁ ତାଲିମ ଦିଆଯାଉଛି।
ଆଉ ୟୁନିସେଫ୍ କେମିତି ଏଥିପ୍ରତି ଦୃଷ୍ଟି ଦେଉଛି? ୟୁନିସେଫ୍ ଏଥିନେଇ ବିଭିନ୍ନ ଗୋଷ୍ଠୀ ଏବଂ ନେଟ୍ୱର୍କକୁ ସକ୍ରିୟ କରିଛି। ଏଥିରେ କିଶୋର ଗୋଷ୍ଠି, ଯୁବା ଗୋଷ୍ଠୀ, ଗୋଷ୍ଠି ଭତ୍ତିକ ସଂଗଠନ ନେଟ୍ୱର୍କ, ସମ୍ମୁଖରେ କାମ କରୁଥିବା ଅଧିକାରୀଙ୍କ ନେଟ୍ୱର୍କ, ନିର୍ବାଚିତ ପ୍ରତିନିଧିଙ୍କ ନେଟୱର୍କ, ଶିଶୁ ମଙ୍ଗଳ ସୁରକ୍ଷା ଅଧିକାରୀ ଓ ପୁଲିସ ସହାୟତାରେ ଅଧିକ ସଂଖ୍ୟାରେ ପରିବାର, ଅଭିଭାବକ ଏବଂ ସହରର ଯୁବଗୋଷ୍ଠୀଙ୍କ ପାଖରେ ପହଞ୍ଚୁଛି। ଏହାଛଡ଼ା ବିଭିନ୍ନ ସମୟରେ ସେମାନଙ୍କୁ ଆବଶ୍ୟକ ସଚେତନ ବାର୍ତ୍ତା ପଠାଉଛି ବୋଲି ୟୁନିସେଫ୍ ଇଣ୍ଡିଆ
ପ୍ରତିନିଧି କହିଛନ୍ତି। ଏହାସହ ୟୁନିସେଫ୍ ସହାୟତାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ଵାରା ଦେଶର ୧୬୦୦ ଶିଶୁ ସୁରକ୍ଷା ଅଧିକାରୀଙ୍କୁ କୋଭିଡ୍ ୧୯ ସମ୍ବନ୍ଧରେ ଅନ୍ଲାଇନ୍ ତାଲିମ ପ୍ରଦାନ କରାଯାଇଛି। ଏହି ପରିସ୍ଥିତିରେ ଯେଉଁ ଶିଶୁମାନେ ମାନସିକ ଅସନ୍ତୁଳନ ଓ ଚାପ ବଶବର୍ତ୍ତୀ ହୋଇଛନ୍ତି ସେମାନଙ୍କ ପାଖରେ ଡିଜିଟାଲ୍ ପ୍ଲାଟ୍ଫର୍ମ ମାଧ୍ୟମରେ ପହଞ୍ଚିବା ଲାଗି ୟୁନିସେଫ୍ । ନ୍ୟାସନାଲଥ ଇନ୍ଷ୍ଟିଚ୍ୟୁଟ୍ ଅଫ ମେଣ୍ଟାଲ୍ ହେଲ୍ଥ ଏବଂ ନ୍ୟୁରୋ ସାଇନ୍ସ ( ନିମ୍ହାନ୍ସ) ସହ ସହବନ୍ଧିତ ହୋଇଛି। ଏହା ମଧ୍ୟ ଯେଉଁ ଶିଶୁମାନେ ହୋମ୍ ଆଇସୋଲେସନ୍ରେ ରହିଛନ୍ତି, ହସ୍ପିଟାଲ୍ରେ ଏକାନ୍ତବାସ କରୁଛନ୍ତି ଏବଂ ଦାଦାନ ଶ୍ରମିକଙ୍କ ଶିଶୁମାନଙ୍କୁ ସହାୟତା ଦେବା ଲାଗି ଏହି ସୁବିଧା ଉପଲବ୍ଧ ରହିଛି।
ଚନ୍ଦ୍ରକଳା ଚୌଧୁରୀ