ଜୟପୁର: ଲକଡାଉନରେ ବିଦେଶରେ ଫସିଥିବା ପ୍ରବାସୀଙ୍କୁ ବନ୍ଦେ ଭାରତ ମିଶନ ଅଧିନରେ ସ୍ବଦେଶକୁ ଫେରାଇ ଅଣାଯାଉଛି । ତେବେ ରାଜସ୍ଥାନ ଜୟପୁର ବିମାନବନ୍ଦରରେ ବନ୍ଦେ ଭାରତ ମିଶନ ଜରିଆରେ ଦୁବାଇରେ ଫସି ରହିଥିବା ପ୍ରବାସୀଙ୍କୁ ରାଜସ୍ଥାନକୁ ଅଣାଯିବା ସମୟରେ ସୁନା ଚୋରା ଚାଲଣ କରାଯାଉଥିବା ଘଟଣା ସାମନାକୁ ଆସିଛି । ଜରୁରୀକାଳୀନ ଲାଇଟ ବ୍ୟାଟେରୀରେ 32 କିଲୋଗ୍ରାମ ସୁନା ଭର୍ତ୍ତି କରି ଅଣାଯାଉଥିବାବେଳେ ଜବତ କରିଛି କଷ୍ଟମ ବିଭାଗ ।
ଜୟପୁର ବିମାନବନ୍ଦରରେ କଷ୍ଟମ ବିଭାଗ ପ୍ରଥମ ଥର ପାଇଁ ଏକ ବଡ଼ ଧରଣର ସୁନା ଜବତ କରିଛି । ଚୋରା ସୁନା ଦୁବାଇରୁ ଜୟପୁରକୁ ଜରୁରୀକାଳୀନ ଲାଇଟ ବ୍ୟାଟେରୀରେ ଭର୍ତ୍ତି କରି ଅଣାଯାଇଥିଲା। କଷ୍ଟମ ବିଭାଗର ଟିମ୍ ତିନିଟି ବିମାନରୁ ମୋଟ 14 ଜଣ ଚୋରା ଚାଲାଣକାରୀଙ୍କୁ କାବୁ କରିଛି। ଚୋରା ଚାଲାଣ ହୋଇଥିବା ସୁନାର ମୂଲ୍ୟ ପ୍ରାୟ 16 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ଦୁବାଇରୁ ଜୟପୁରକୁ ଆସିଥିବା ବନ୍ଦେ ଭାରତ ମିଶନ ଅଧୀନରେ ଯାତ୍ରୀଙ୍କ ଲଗେଜ ବିମାନ ବନ୍ଦରରେ ଯାଞ୍ଚ କରାଯାଉଥିଲା । କଷ୍ଟମ ବିଭାଗ କିଛି ଯାତ୍ରୀଙ୍କୁ ସନ୍ଦେହଜନକ ମନେ କରୁଥିବାବେଳେ ସେମାନଙ୍କୁ ତୀବ୍ର ଅନୁସନ୍ଧାନ କରିଥିଲା । ଏହି ସମୟରେ ଜରୁରୀକାଳୀନ ଲାଇଟ ବ୍ୟାଟେରୀରୁ ସୁନା ଜବତ କରିଥିବା ସୂଚନା ରହିଛି ।
ସେପଟେ କଷ୍ଟମ ବିଭାଗର ଟିମ୍ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଏହା ସହିତ ସୂଚନା ସଂଗ୍ରହ ପାଇଁ ଉଦ୍ୟମ କରାଯାଉଛି, କିଏ ସୁନାକୁ ଆଦେଶ ଦେଇଛନ୍ତି, କେଉଁଠାରେ ଏହାକୁ ଯୋଗାଇ ଦିଆଯିବ ଏବଂ କିଏ ସୁନା ଚୋରା କାରବାରରେ ଜଡ଼ିତ ଅଛନ୍ତି ସେ ନେଇ ଖୋଳତାଡ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ