ହାଇଦ୍ରାବାଦ: ବନ୍ୟାର କରାଳ ଗର୍ଜନ ସ୍ତବ୍ଧ ହୋଇଛି ସାରା ଦେଶ । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଆଦି ରାଜ୍ୟ ଗୁଡିକରେ ଜାରି ରହିଛି ବନ୍ୟା ବିତ୍ପାତ । ବିଭିନ୍ନ ରାଜ୍ୟରେ ଅନେକ ମୃତାହତ ହୋଇଥିବା ସୂଚନା ରହିଥିବା ବେଳେ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ରାଜ୍ୟରେ ଏନଡିଆରଏଫ ଟିମ ମୁତୟନ ହୋଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଛନ୍ତି ।
କେରଳ...
ଅଗଷ୍ଟ 2018ର କେରଳରେ ହୋଇଥିବା ପ୍ରଳୟର ପଦଚିହ୍ନ ମନରୁ ଲିଭି ନଥିବା ବେଳେ ପୁଣିଥରେ ବନ୍ୟା ନିଜର କାୟା ବିସ୍ତାର କରିଛି କେରଳରେ । ଶୁକ୍ରବାର ସୁଦ୍ଧା ପ୍ରାୟ 43 ଲୋକଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସୂଚନା ରହିଛି । ତେବେ ନିଖୋଜ ଥିବା ବ୍ୟକ୍ତିଙ୍କ ସୂଚନା ମିଳି ପାରି ନାହିଁ । ୱାୟନାଡ ଓ ମଲାପ୍ପୁରମ ଜିଲ୍ଲାରେ ହୋଇଥିବା ଭୁସ୍ଖଳନରେ ଅନେକ ଲୋକ ଫସି ରହିଥିବା ଆଶଙ୍କା ମଧ୍ୟ କାରାଯାଉଛି ।
ୱାୟନାଡ ଭୁସ୍ଖଳନରେ ଉଦ୍ଧାରକାରୀ ଦଳ 8ଟି ମୃତଦେହ ଉଦ୍ଧାର କରିଥିବା ବେଳେ ମଲାପ୍ପୁରମ ପାହାଡିଆ ଅଞ୍ଚଳରେ ହୋଇଥିବା ପୃଥକ ପୃଥକ ସ୍ଥାନରେ ଭୁସ୍ଖଳନ ଯୋଗୁଁ 10 ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ନିଖୋଜ ଥିବା ସୂଚନା ରହିଛି । କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି ଯେ ଭୁସ୍ଖଳନରେ ମୃତ ଓ ନିଖୋଜ ହୋଇଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।
ସେପଟେ ରବିବାର ପର୍ଯ୍ୟନ୍ତ କେରଳର ରାଜଧାନୀ କୋଚିସ୍ଥିତ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଛି । ଏର୍ନାକୁଲମ, ଇଡୁକ୍କି, ପଲାକ୍କଡ, ମଲାପ୍ପୁରମ, କୋଝିକୋଡ, ୱାୟନାଡ ଓ କନ୍ନୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।
ଉଦ୍ଧାର କାର୍ଯ୍ୟ ପାଇଁ 13ଟି ଏନଡିଆରଏଫ ଟିମ ସହ 180 ଜଳ ସେନା ଅଧିକାରୀ କେରଳ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ 64,000 ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସ୍ଥାନାନ୍ତରିତ କରାଯାଇଛି ।
କର୍ଣ୍ଣାଟକ...
କର୍ଣ୍ଣାଟକରେ ମଧ୍ୟ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଏପର୍ଯ୍ୟନ୍ତ 26 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ମିଳିଥିବା ବେଳେ 13 ଜଣ ନିଖୋଜ ଥିବା ବେସରକାରୀ ସୂଚନା ରହିଛି । ମଲନାଡ ଓ ଉପକୂଳ କର୍ଣ୍ଣାଟକ, କୋଡାଗୁ, ଦକ୍ଷିଣ କନ୍ନଡ ଓ ଉଡୁପି ଆଦି 6ଟି ଜିଲ୍ଲାରେ ଆଗାମୀ 48 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କାରାଯାଇଛି ।
ମହାରାଷ୍ଟ୍ର...
ମହାରାଷ୍ଟ୍ର ବନ୍ୟାରେ ଶୁକ୍ରବାର ଆଉ ଦୁଇଜଣଙ୍କ ମୃତ୍ୟୁ ହେବା ପରେ ମୃ୍ତ୍ୟୁ ସଂଖ୍ୟା 29ରେ ପହଁଞ୍ଚିଛି । କୋହ୍ଲାପୁର ଓ ସାଙ୍ଗଲି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ପଞ୍ଚଗଙ୍ଗା ଓ କ୍ରଷ୍ଣା ନଦୀରେ ଜଳ ସ୍ଥର କମିଥିଲେ ମଧ୍ୟ ବିପଦ ସଙ୍କେତ ତଳକୁ ଖସିନାହିଁ। ଯାହା ଏବେ ଚିନ୍ତାର କାରଣ ହୋଇଛି ।
କୋହ୍ଲାପୁର ଦେଇ ମୁମ୍ବାଇ ଓ ବାଙ୍ଗାଲୁରୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥ 4 କ୍ରମାଗତ ଭାବେ ଟତୁର୍ଥ ଦିନ ପାଇଁ ବନ୍ଦ ରହିଛି । ପୁଣେ ଡିଭିଜନାଲ କମିସନର ଦୀପକ ମଇସେକର କହିଛନ୍ତି ଯେ ଗୁରୁବାର ସାଙ୍ଗଲିଠାରେ ହୋଇଥିବା ଡଙ୍ଗା ବୁଡି ଘଟଣାରେ ଏପର୍ଯ୍ୟନ୍ତ ଆହୁରି 9 ଜଣ ନିଖୋଜ ରହିଛନ୍ତି । ଘଟଣା ପରେ 18 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 9ଟି ମୃତଦେହ ଉଦ୍ଧାର କରାଯାଇଥିଲା ।
ମହାରାଷ୍ଟ୍ରରେ ଏଯାବତ 2 ଲକ୍ଷ 85 ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । କୋହ୍ଲାପୁର ଓ ସାଙ୍ଗଲିର ଅନେକ ସ୍ଥାନରେ ବିଦ୍ୟୁତ ଓ ପାଣି ବ୍ୟବସ୍ଥା ଠପ୍ ହେବା ସହ ଲ୍ୟାଣ୍ଡଫୋନ ଗୁଡିକ ମଧ୍ୟ ଡେଡ ହୋଇଛି ।
ତେବେ ବନ୍ୟା ପ୍ରଭାବିତ ରାଜ୍ୟ ଗୁଡିକ ପାଇଁ ଆଗାମୀ 24 ଘଣ୍ଟା ସଙ୍କଟାପନ୍ନ ରହିବ କାରଣ କେରଳ, ମହାରାଷ୍ଟ୍ର, ଗୋଆ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନ ଆଦି ରାଜ୍ୟ ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ ।