ଶ୍ରୀନଗର: ଦୀର୍ଘ 5 ମାସ ପରେ କାଶ୍ମୀର ବାସୀଙ୍କୁ ମିଳିଲା 2ଜି ମୋବାଇଲ ସେବା । କାଶ୍ମୀର ଉପତ୍ୟକାରେ ସମସ୍ତ ପ୍ରିପେଡ ଓ ପୋଷ୍ଟପେଡ୍ ଫୋନ ଗତକାଲି ରାତିରୁ କାର୍ଯ୍ୟକାରୀ ହୋଇଛି। ଏହାସହ ଲୋକଙ୍କୁ କେବଳ 301ଟି ୱେବସାଇଟ୍ ଖୋଲିବାକୁ ଜମ୍ମୁ କାଶ୍ମୀର ପ୍ରଶାସନ ସ୍ବୀକୃତି ଦେଇଛି।
ଖବର ଅନୁସାରେ, 2ଜି ଇଣ୍ଟରନେଟ ସର୍ଭିସ ସମସ୍ତ ଫୋନରେ ଜାନୁୟାରୀ 25ରୁ ଆରମ୍ଭ ହେବ। ଏହାସହ ସାଧାରଣଜନତା କୌଣସି ସୋସିଆଲ ମିଡିଆ ସାଇଟ୍ ଖୋଲିପାରିବେ ନାହିଁ। କେବଳ ଶିକ୍ଷା,ସମ୍ବାଦ,ଯାତାୟତ,ନିଯୁକ୍ତି ଏ ସମସ୍ତ ସାଇଟକୁ ସର୍ଚ୍ଚ ଇଞ୍ଜିନରେ ଦେଖିପାରିବେ।
ଜମ୍ମୁର ସମସ୍ତ 10ଟି ଜିଲ୍ଲାରେ ଓ କାଶ୍ମୀରର ମାତ୍ର 2ଟି ଜିଲ୍ଲାରେ 2ଜି ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହୋଇଛି। ଅନ୍ୟପକ୍ଷେ ଲୋକଙ୍କ ସୁବିଧା ପାଇଁ ସବୁ ବ୍ୟାଙ୍କରେ ବ୍ରଡବ୍ୟାଣ୍ଡ ଓ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଛି।
ଗତ ଅଗଷ୍ଟ 5 ତାରିଖରେ ଧାରା 370 ଉଚ୍ଛେଦ ପରେ ଘାଟୀରୁ ଲ୍ୟାଣ୍ଡଲାଇନ,ଇଣ୍ଟରନେଟ ଓ ସର୍ଟ ମ୍ୟାସେଜ୍ ସୁବିଧା ବନ୍ଦ କରାଯାଇଥିଲା। ବିଗତ କିଛି ଦିନ ଭିତରେ ପର୍ଯ୍ୟାୟକ୍ରମେ ସବୁ କାର୍ଯ୍ୟ ଆରମ୍ଭ କରାଯାଉଛି।