ଚେନ୍ନାଇ: ତାମିଲନାଡୁରେ ଜାରି ରହିଛି ବର୍ଷା ବିତ୍ପାତ । ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ଅତିକମରେ 25 ଲୋକଙ୍କ ପ୍ରାଣହାନୀ ହୋଇଥିବା ସୂଚନା ରହିଛି । କୋଏମ୍ବାଟୁର ନିକଟସ୍ଥ ମେଟ୍ଟୁପଲୟମର ନାଦୁର ଗ୍ରାମରେ କାନ୍ଥ ପଡି 17 ଜଣଙ୍କୁ ମିଶାଇ ବର୍ଷାରେ ମୃତକଙ୍କ ସଂଖ୍ୟା 25 ରେ ପହଞ୍ଚିଛି।
ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟର ଛଅଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ରବିବାର ଦିନ ଚେନ୍ନାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ରାଜ୍ୟର ଉତ୍ତର-ପୂର୍ବ ମୌସୁମୀ ପ୍ରଭାବରେ ବର୍ଷା ବିତ୍ପାତ ଜାରି ରହିଛି । ତୁତିକୋରିନ, କୁଡ୍ଡାଲୋର ଓ ତିରୁନେଲୱେଲି ଜିଲ୍ଲାରେ ରିଲିଫ କ୍ୟାମ୍ପରେ ହଜାରରୁ ଉର୍ଦ୍ଧ୍ବ ଲୋକ ଆଶ୍ରୟ ନେଇଛନ୍ତି।
ମୂଷଳ ଧାରା ବର୍ଷା ଫଳରେ ଚେନ୍ନାଇର ତଳିଆଞ୍ଚଳ ନିକଟବର୍ତ୍ତୀ ଚେଙ୍ଗଲପେଟ ଓ କାଞ୍ଚିପୁରମ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି। ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ସ୍ଥିତି ସମୀକ୍ଷା ପାଇଁ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି।
ସୋମବାର ଦିନ ତାମିଲନାଡୁ ସହ ପୁଡୁଚେରୀ, ତିରୁବଲ୍ଲୁର, ତୋତୁକୁଡି ଓ ରାମନାଥପୁରମରେ ସମସ୍ତ ସ୍କୁଲ, କେଲଜ ବନ୍ଦ ରହିଛି । ଅନ୍ୟପଟେ ମାଡ୍ରାସ ୟୁନଭରର୍ସିଟି ଓ ଆନ୍ନା ୟୁନଭର୍ସିଟିରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି।