ପୁଣେ: ମହାରାଷ୍ଟ୍ରରେ ଚାଲିଛି ବେଆଇନ ଡ୍ରଗ୍ସ ତିଆରି କାରବାର । ତେବେ ଏହି ମାମଲାରେ ପୁନେର ପିମ୍ପ୍ରି ଚିଞ୍ଚୱାଡ ପୋଲିସକୁ ମିଳିଛି ବଡ଼ ସଫଳତା । ଏଠାରେ ଏକ ବାୟୋଟେକ କମ୍ପାନୀ ବେଆଇନ ଭାବେ ମେଫେଡ୍ରୋନ ଡ୍ରଗ୍ସ ତିଆରି କରିବାରେ ସାମିଲ ଥିଲା । ଏହି କମ୍ପାନୀକୁ ନାର୍କୋଟିକ୍ସ ବିଭାଗ ସିଲ କରିବା ସହ 20 କୋଟି ମୂଲ୍ୟର ମେଫେଡ୍ରୋନ ଡ୍ରଗ୍ସ ସମେତ ଟଙ୍କା ମଧ୍ୟ ଜବତ କରିଛି ।
ଏହି ମାମଲାରେ ପାଞ୍ଚଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ସେପଟେ ଏହି ମାମଲାରେ ଛୋଟା ରାଜନ ଗ୍ୟାଙ୍ଗ ମଧ୍ୟ ସାମିଲ ରହିଛି । ଛୋଟା ରାଜନ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବା ପାଇଁ ନାର୍କୋଟିକ୍ସ ବିଭାଗ ବହୁ ପରିଶ୍ରମ କରିଛି । ଉକ୍ତ ମାମଲା ସାମ୍ନାକୁ ଆସିବା ପରେ ପୋଲିସକୁ ଛୋଟା ରାଜନ ଗ୍ୟାଙ୍ଗକୁ ଧରିବାରେ ସହଜ ହୋଇଥିବା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର କୃଷ୍ଣ ପ୍ରକାଶ ସୂଚନା ଦେଇଛନ୍ତି ।
ଛୋଟା ରାଜନର ଗ୍ୟାଙ୍ଗ ପୁନେସ୍ଥିତ ରଣଜାଙ୍ଗାଓଁର ଏକ ବନ୍ଦ ରାସାୟନିକ କାରଖାନାରେ ବେଆଇନ ଭାବେ ଡ୍ରଗ୍ସ ତିଆରି କରୁଥିଲା । ତେବେ ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ ସେହି କମ୍ପାନୀ ଉପରେ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି ପୋଲିସ । ଏଥିସହ ଛୋଟା ରାଜନ ଗ୍ୟାଙ୍ଗର 9ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଆଜି ପର୍ଯ୍ୟନ୍ତ ଏହି ମାମଲାରେ ସର୍ବମୋଟ 14 ଜଣଙ୍କୁ ଗିରଫ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ