ପଶ୍ଚିମବଙ୍ଗ: କ୍ବାରେଣ୍ଟାଇନ ସେଣ୍ଟର ପ୍ରତିଷ୍ଠାକୁ ବିରୋଧ କରି ପୋଲିସ ସହ ଧସ୍ତାଧସ୍ତି ଜନତା । ଘଟଣାରେ 20ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗ ଆସାନସୋଲ ନିକଟସ୍ଥ ଚୁରୁଲିଆ ଥିବା ଏକ ହଷ୍ଟେଲରେ ଏହି ଘଟଣା ଘଟିଛି ।
ଉକ୍ତ ହଷ୍ଟେଲରେ କ୍ବାରେଣ୍ଟାଇନ ସେଣ୍ଟର ପ୍ରତିଷ୍ଠାକୁ ସ୍ଥାନୀୟବାସୀ ବିରୋଧ କରୁଛନ୍ତି । ହେଲେ ରିପୋର୍ଟ ଅନୁସାରେ, ସେଠାରେ ଅତି କମରେ 20ଜଣ ଆଇସୋଲେସନରେ ରହିଛନ୍ତି ।
ମଙ୍ଗଳବାର ସ୍ଥାନୀୟ ଲୋକେ କ୍ବାରେଣ୍ଟାଇନ ସେଣ୍ଟର ସ୍ଥାପନାକୁ ବିରୋଧ କରି ପ୍ରତିବାଦରେ ରାସ୍ତା ଅବରୋଧ କରିଥିଲେ । ଏଥିସହ ଅଞ୍ଚଳରେ ପ୍ରବେଶ କରିଥିବା ଏକ ପୋଲିସ ଗାଡି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ବାଧ୍ୟ ହୋଇ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା । ଏହାସହ ଆସାନସୋଲ ଜିଲ୍ଲାର ଜାମୁରିଆ ପୋଲିସ ଷ୍ଟେସନର ମଧ୍ୟ ସହାୟତା ଲୋଡିଥିଲା ।
ଘଟଣାରେ ଆହତ ପୋଲିସକର୍ମୀ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୂର୍ବରୁ ସୋମବାର ଦିନ ଆସାନସୋଲର ସଲାନପୁରରେ ମଧ୍ୟ କୋରୋନା ଭାଇରସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ ଏକ କ୍ବାରେଣ୍ଟାଇନ ସେଣ୍ଟର ସ୍ଥାପନାକୁ ନେଇ ବିରୋଧ କରାଯାଇଥିଲା । ସେହିପରି ଏହା ପୂର୍ବରୁ ଚଳିତ ମାସ ଆରମ୍ଭରେ ରାଜ୍ୟର ବୀରଭୂମି ଜିଲ୍ଲାର ଏକ ଗାଁରେ ସମାନ ପ୍ରସଙ୍ଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।
ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ କୋରୋନା ଭାଇରସରେ 190ଟି ପଜିଟିଭ ମାମଲା ରିପୋର୍ଟ କରାଯାଇଥିବା ବେଳେ 7 ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିପରି 36 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।