ନୂଆଦିଲ୍ଲୀ: ଆଜିଠୁ 2 ଦିନ ଧରି ଦେଶବ୍ୟାପୀ ସମସ୍ତ ସରକାରୀ ବ୍ୟାଙ୍କ୍ ବନ୍ଦ ରହିବ। ଏନେଇ ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଶୁକ୍ରବାର ଓ ଶନିବାର 2 ଦିନ ଧରି ପ୍ରାୟ 10 ଲକ୍ଷ ବ୍ୟାଙ୍କ କର୍ମଚାରୀ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମୁଖ୍ୟ ଶ୍ରମ ଆୟୁକ୍ତଙ୍କ ସହ ବୈଠକ ହୋଇଥିଲେ ବି ସମସ୍ୟାର ସମାଧାନ ହୋଇ ପାରିନଥିଲା। ଯେଉଁଥିପାଇଁ ବ୍ୟାଙ୍କ କର୍ମଚାରୀ ଆଜିଠୁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ 10 ହଜାର କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ଦାବି ହୋଇଛି।
ବ୍ୟାଙ୍କ କର୍ମଚାରୀଙ୍କ ଦାବି ଅନୁସାରେ, 2017 ନଭେମ୍ବର 1ର ଦରମା ସଂଶୋଧିତ ଏପର୍ଯ୍ୟନ୍ତ ହୋଇନାହିଁ। ଏହା ସହ ସଂଶୋଧିତ ଦରମାରେ 20 ପ୍ରତିଶତ ବୃଦ୍ଧି ହେବା ଦରକାର ବୋଲି ବ୍ୟାଙ୍କ କର୍ମଚାରୀ ଦାବି କରିଛନ୍ତି । ଏଥିସହ ଫ୍ୟାମିଲି ପେନସନ ସିଷ୍ଟମରେ ବୃଦ୍ଧି, 5 ଦିନ ବ୍ୟାଙ୍କିଂ କାର୍ଯ୍ୟଦିବସ, ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଷ୍ଟାଫ୍ ୱେଲଫେୟାର ଫଣ୍ଡ ଆଦି ଦାବି ରହିଛି।
ସଂସଦରେ ବଜେଟ ଅଧିବେଶନ ପର୍ଯ୍ୟନ୍ତ 2 ଦିନିଆ ଧର୍ମଘଟ ଜାରି ରହିବ। ଏହାସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ଦ୍ବିତୀୟ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ଓ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିବେ। ବ୍ୟାଙ୍କର ଏହି ଆନ୍ଦୋଳନକୁ 9ଟି ସଙ୍ଗଠନର ସମର୍ଥନ ମିଳିଛି।
ଏହାସହ ମାର୍ଚ୍ଚ 11,12 ଓ 13 ତାରିଖରୁ ଏପ୍ରିଲ 1 ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟାଙ୍କ ଧର୍ମଘଟ ଜାରି ରହିବ। ଏହି ବନ୍ଦ ଯୋଗୁଁ ଅନେକ ଗୁଡିଏ ଶାଖା ବ୍ୟାଙ୍କ ଓ ଏଟିଏମର କାର୍ଯ୍ୟ ପ୍ରଭାବିତ ହେବ। ବ୍ୟାଙ୍କ କର୍ମଚାରୀଙ୍କ ଏପରି ଆନ୍ଦୋଳନକୁ ନେଇ ଆଇବିଏ ବ୍ୟାଙ୍କ ନିଜ ପ୍ରତିକ୍ରିୟା ରଖିବା ସହ କହିଛି କର୍ମଚାରୀଙ୍କ ଏହି ଆନ୍ଦୋଳନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।