ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ସଂସଦର ମୌସୁମୀ ଅଧିବେଶନ । ଏହାପୂର୍ବରୁ ସମସ୍ତ ସାଂସଦଙ୍କ କୋଭିଡ ଟେଷ୍ଟ କରାଯାଇଛି । ତେବେ 17 ସାଂସଦ ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି । ମିନାକ୍ଷୀ ଲେଖୀ ଓ ଅନନ୍ତ ହେଗଡେଙ୍କ ସମେତ 17 ଜଣ ସାଂସଦ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
କୋରୋନା ମହାମାରୀ ସହ ଜଡିତ ନିର୍ଦ୍ଦେଶାବଳୀ ଅନୁସରଣ କରି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ସମୟ ମଧ୍ୟରେ ପ୍ରଥମ ଥର ପାଇଁ ଲୋକସଭାର ସଦସ୍ୟମାନେ ରାଜ୍ୟସଭାରେ ବସି ଗୃହର ପ୍ରକ୍ରିୟାରେ ଭାଗ ନେଇଥିଲେ ।
ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଲୋକସଭାର ସଦସ୍ୟମାନଙ୍କୁ ଉପର ଗୃହରେ ବସିବା ଏବଂ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ରାଜ୍ୟସଭା ସଦସ୍ୟଙ୍କୁ ନିମ୍ନ ସଦନରେ ବସିବାର ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୋମବାର ଲୋକସଭାର ଗୃହକାର୍ଯ୍ୟ ସକାଳ 9 ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ହଟଗୋଳ ଯୋଗୁଁ ଲୋକସଭାକୁ ମୁଲତବୀ କରାଯାଇଛି । ରାଜ୍ୟସଭାର ପ୍ରକ୍ରିୟା ଅପରାହ୍ନ 3 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 7ଟା ଯାଏଁ ଚାଲିବ ।
ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ମନ୍ତ୍ରୀ ଏବଂ ସଦସ୍ୟ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ କରି ବୈଠକରେ ଯୋଗ ଦେଇଥିଲେ । ଲୋକସଭା ଚାମ୍ବରରେ ପ୍ରାୟ 200 ସଦସ୍ୟ ଥିବାବେଳେ ପ୍ରାୟ 50 ଜଣ ସଦସ୍ୟ ଗ୍ୟାଲେରୀରେ ଥିଲେ । ଲୋକସଭା ଚାମ୍ବରରେ ଏକ ବଡ଼ ଟିଭି ପରଦା ଲଗାଯାଇଛି, ଯାହା ମାଧ୍ୟମରେ ରାଜ୍ୟସଭା ଚାମ୍ବରରେ ବସିଥିବା ଲୋକସଭାର ସଦସ୍ୟମାନେ ମଧ୍ୟ ଦୃଶ୍ୟମାନ ହେଉଥିଲା ।