ଅହମ୍ମଦାବାଦ୍: ଭାରତୀୟ ନୈସେନାର 16 ନାବିକ କୋରୋନା ପଜିଟିଭ୍। ଗତ ଚାରିଦିନ ମଧ୍ୟରେ ଗୁଜୁରାଟ ପୋରବନ୍ଦରର ଟ୍ରେନି ନାବିକମାନେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୋରବନ୍ଦରର ସାମରିକ ଡାକ୍ତରଖାନା ନଥିବାରୁ ସମସ୍ତଙ୍କୁ ଜାମନଗରକୁ ସ୍ଥାନାନ୍ତର କରାଯାଇଛି ବୋଲି ରାଜ୍ୟ ପ୍ରତିରକ୍ଷା ମୁଖପାତ୍ର ପୁଣେ ଚାଡା କହିଛନ୍ତି।
ସୂଚନା ଅନୁସାରେ, ସମସ୍ତ ଟ୍ରେନି ନାବିକ ପୋରବନ୍ଦର ନାଭାଲ ବେସରେ ନିଯୁକ୍ତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା 8 କୋରୋନା ପଜିଟିଭଙ୍କୁ ଜାମନଗର ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି।
ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ ନମୁନା ସଂଗ୍ରହ କରାଯାଇଥିଲା ସେଥିମଧ୍ୟରୁ ଆହୁରୀ 8 ଜଣ ପଜିଟିଭ୍ ଥିବା ଦୁଇ ଦିନ ପୂର୍ବରୁ ଜଣାପଡିଥିଲା। ସମସ୍ତଙ୍କୁ ଚିକିତ୍ସା ପାଇଁ ଜାମନଗରକୁ ସ୍ଥାନାନ୍ତର କରାଯାଇଛି।
ରାଜ୍ୟ ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁସାରେ ସେନା କ୍ୟାମ୍ପକୁ ସଂକ୍ରମଣ ମୁକ୍ତ ରଖିବା ପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି। ଏହାସହ ଅନ୍ୟ କର୍ମଚାରୀଙ୍କୁ କ୍ବାରେଣ୍ଟିନକୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଏପ୍ରିଲରେ ଭଦୋଦରାସ୍ଥିତ ମିଲିଟାରୀ ଷ୍ଟେସନରେ ତାଲିମ ନେଉଥିବା ଚାରିଜଣ କ୍ରାଫ୍ଟସମ୍ୟାନ ସୈନିକ କୋରୋନା ପଜିଟିଭ୍ ଆସିଥିଲେ।