ନୂଆଦିଲ୍ଲୀ: ଗତବର୍ଷ ତୁଳନାରେ ଚଳିତବର୍ଷ ଶୀତଦିନରେ ଉଡିବ କମ ବିମାନ । କୋଭିଡ କଟକଣା ହେତୁ 44 ପ୍ରତିଶତ କମ ବିମାନ ଉଡିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶୀତ ସମୟରେ ଅର୍ଥାତ ଅକ୍ଟୋବର 25 ରୁ ଆସନ୍ତା ବର୍ଷ ମାର୍ଚ୍ଚ 27 ପର୍ଯ୍ୟନ୍ତ ଦେଶରେ ଥିବା 95ଟି ବିମାନ ବନ୍ଦରରୁ ମୋଟ 12, 983ଟି ବିମାନ ଉଡାଣ ପାଇଁ ଡିଜିସିଏ ଅନୁମତି ପ୍ରଦାନ କରିଛି ।
ତେବେ 2019-20ବର୍ଷରେ ଏହି ସମୟରେ 23,307ଟି ବିମାନ ଉଡାଣ ପାଇଁ ଅନୁମତି ଦିଆଯାଇଥିଲା । କୋରୋନା ମହମାରୀକୁ ଦୃଷ୍ଟିରେ ରଖି ବିମାନରେ 60 ପ୍ରତିଶତ ସିଟରେ ଯାତ୍ରୀଙ୍କୁ ଉଡାଣ ପାଇଁ କମ୍ପାନୀ ଗୁଡିକୁ ଅନୁମତି ଦିଆଯାଇଛି । ତେବେ ଖୁବଶୀଘ୍ର 75 ପ୍ରତିଶତ ସିଟ୍ ପୂରଣ କରିବା ପାଇଁ ବିମାନ କମ୍ପାନୀ ଗୁଡିକୁ ଅନୁମତି ପ୍ରଦାନ କରାଯିବା ଉପରେ ବିଚାର କରାଯାଉଛି ।
ଡିଜିସିଏ ଜାରି କରିଥିବା ତଥ୍ୟ ଅନୁଯାୟୀ ଶୀତଦିନେ ଇଣ୍ଡିଗୋ 6006ଟି ବିମାନ ଉଡାଇବ । ସେହିପରି ସ୍ପାଇସ ଜେଟ୍ 1957 ଟି, ଏୟାର ଇଣ୍ଡିଆର 1126 ଟି, ଗୋ ଏୟାରର 1203ଟି ବିମାନ ଉଡିବ । ଖରାଦିନରେ ଅଧିକ ବିମାନ ଉଡାଣର ଅନୁମତି ପ୍ରଦାନ କରାଯିବ ବୋଲି ଜଣାପଡିଛି ।