କୋଲକାତା: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା ବଢିବାରେ ଲାଗିଛି । ପ୍ରଥମେ ନାମାଙ୍କନ ସମୟରେ ଗୁଳିମାଡ ପରେ ଏବେ ଜଣେ ପ୍ରାର୍ଥୀଙ୍କୁ ଦିବାଲୋକରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଲେ ତୃଣମୂଳ କଂଗ୍ରେସ(TMC) ପ୍ରାର୍ଥୀ ମୁସ୍ତାଫା ଶେଖ୍ । ଗତକାଲି(ଶନିବାର) ଅପରାହ୍ନରେ ମୁସ୍ତାଫା ମସଜିଦରୁ ଘରକୁ ଫେରୁଥିବା ବେଳେ ବାଟରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ମାଲଦା ଜିଲ୍ଲା ସୁଜାପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ହତ୍ୟାକାଣ୍ଡ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିଏମସି ।
ସୂଚନା ମୁତାବକ, ସୁଜାପୁର ଅଞ୍ଚଳରେ ମୁସ୍ତାଫା ଶେଖ୍ ଜଣେ ଜଣାଶୁଣା ଟିଏମସି କାର୍ଯ୍ୟକର୍ତ୍ତା ଥିଲେ । ୨୦୧୩ ପଞ୍ଚାୟତ ନିର୍ବାଚନରେ ତାଙ୍କ ପତ୍ନୀ ଜିବୁ ବିବି ଟିଏମସି ସମର୍ଥନରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ପତ୍ନୀ ପ୍ରତିଦ୍ବନ୍ଦିତା କରିବା ପାଇଁ ମନା କରିବାରୁ ଶେଖ୍ ପ୍ରାର୍ଥୀ ହୋଇଥିଲେ । ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ସେ ଦିନରାତି କାର୍ଯ୍ୟ କରୁଥିଲେ । ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଶେଖ୍ ପ୍ରାର୍ଥନା ପାଇଁ ମସଜିଦକୁ ଯାଇଥିଲେ । ସେଠାରୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ।
ପଶ୍ଚିମବଙ୍ଗ ମନ୍ତ୍ରୀ ସବିନା ୟାସମିନ ଘଟଣାସ୍ଥଳ ପରିଦର୍ଶନ କରି ହତ୍ୟାକାଣ୍ଡ ପାଇଁ କଂଗ୍ରେସକୁ ଦୋଷ ଦେଇଛନ୍ତି । ଟିକେଟ ନମିଳିବାରୁ କଂଗ୍ରେସରେ ଯୋଗ ଦେଇଥିବା ଟିଏମସି କର୍ମୀ ଏହି ହତ୍ୟାକାଣ୍ଡ ଘଟାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି କଂଗ୍ରେସ । ଟିଏମସିରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଶେଖଙ୍କୁ ହତ୍ୟା କରାଯାଇଛି । ଏହାସହ ଆମର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ପ୍ରକାଶଥାଉ କି, ଜୁନ ୮ଟାରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାପୂର୍ବରୁ ବିଭିନ୍ନ ସ୍ଥାନରେ ହିଂସା ଘଟି ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଗତ ଗୁରୁବାର ଦିନ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଓ ଉତ୍ତର ଦିନିଜପୁରରେ ଗୁଳିମାଡ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ନାମାଙ୍କନ ଭରିବାକୁ ଯିବାବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏହି ଦୃଷ୍ଟିରୁ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ମୁତୟନ କରିବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ