ଚଣ୍ଡିଗଡ: ରାଜ୍ୟର କିଛି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି ହରିୟାଣା ସରକାର । ବିଶେଷ କରି ଦୁଇ ଜିଲ୍ଲାରେ ଏହି ସେବା ବନ୍ଦ ରଖିବାକୁ ନିଷ୍ପତ୍ତି କରାଯାଇଥିବା ଜଣାପଡିଛି । ହରିୟାଣାର ସୋନିପତ ଓ ଇଜ୍ଜର ଜିଲ୍ଲାରେ ଆସନ୍ତାକାଲି (ଫେବୃଆରି 5) ତାରିଖ ସନ୍ଧ୍ୟା 5 ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ରଦ୍ଦ କରାଯାଇଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ସୋସିଆଲ ମିଡିଆ ଆପ ଫେସବୁକ , ହ୍ବାଟ୍ସଆପ, ଟ୍ବିଟରରେ ଏସମ୍ପର୍କରେ ମିଥ୍ୟା ତଥା ଆପତ୍ତିଜନକ ଖବର ପ୍ରସାରଣ କରାଯାଉଥିବା ଯୋଗୁ ଅପ୍ରୀତିକର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା ଯୋଗୁ ଇଣ୍ଟରନେଟ ସେବାକୁ ସାମୟିକ ଭାବେ ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ବେସରକାରୀ ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ସମେତ ସରକାରୀ ସଂସ୍ଥା ‘ବିଏସଏନଏଲ’କୁ ମଧ୍ୟ ଏହି ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ପରେ ଏପରି କିଛି ସ୍ଥାନରେ ସାମ୍ଭାବ୍ୟ ହିଂସାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବାକୁ ବନ୍ଦ ରଖିଥିଲେ ସରକାର । ତେବେ ପରେ ସ୍ଥିତି ଆୟତକୁ ଆସିବାରୁ ଏହାକୁ ପୁନଃକାର୍ଯ୍ୟକ୍ଷମ କରାଯାଇଥିଲା । ପୁନଶ୍ଚ ଏବେ ଉକ୍ତ ଘଟଣାକୁ ନେଇ ସୋସିଆଲ ମିଡିଆରେ ବୟାନବାଜି ଆରମ୍ଭ ହେଉଥିବାରୁ ଏହା ପୁଣି ଥରେ ଉତ୍ତେଜିତ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚିନ୍ତାକରି ପୁଣି କିଛି ସ୍ଥାନରେ ଏହି ସେବା ବନ୍ଦ ରଖିବାକୁ ସ୍ଥିର କରିଛନ୍ତି ହରିୟାଣା ସରକାର ।
ସେହିପରି ଜିନ୍ଦ ଜିଲ୍ଲାରେ ଶାନ୍ତି ବଜାୟ ରଖିବା ସହ ସାର୍ବଜନୀନ ଜୀବନଯାତ୍ରାକୁ ସ୍ବାଭାବିକ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ପରିସ୍ଥିତିରେ କେହି ବ୍ୟକ୍ତି ଏହାର ଉଲଙ୍ଘନ କରିବା ଦେଖାଯାଏ ତେବେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ