ହାଇଦ୍ରାବାଦ: ଓବିସିକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଯୋଗଗୁରୁ ବାବା ରାମଦେବ । ଏକ ସଭାରେ ନିଜକୁ ବ୍ରାହ୍ମଣ କହିବା ସହ ଓବିସିକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ବିବାଦ ଜୋର ଧରିବା ପରେ ଏନେଇ ଉତ୍ତର ରଖିଛନ୍ତି ରାମଦେବ । ଓବିସି ନୁହେଁ ଓଓ୍ବେସୀ କହିଥିବା ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି ।
ଯୋଗଗୁରୁ ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁ ଭିଡିଓରେ ସେ ଏକ ସଭାରେ କହୁଥିବା ଶୁଣିବାକୁ ମିଳୁଛି, "ମୋର ମୂଳଗୋତ୍ର ବ୍ରହ୍ମା ଗୋତ୍ର ଓ ମୁଁ ଅଗ୍ନିହୋତ୍ରୀ ବ୍ରାହ୍ମଣ ଅଟେ । ମୁଁ ବେଦୀ, ଦ୍ୱୀବେଦୀ, ତ୍ରୀବେଦୀ ଓ ଚତୁର୍ବେଦୀ ବ୍ରାହ୍ମଣ । ମୁଁ ଚାରୋଟି ବେଦ ପଢିଛି ।" ଏହି ସମୟରେ ସେ ଓବିସି ସମୁଦାୟଙ୍କ ବିରୋଧରେ ଏକ ଆପତ୍ତିଜନକ ଟିପ୍ପଣୀ ରଖିଥିବା ଅଭିଯୋଗ ହୋଇଛି । ଯାହାପରେ ସୋସିଆଲ ମିଡିଆରେ ଏହାକୁ ଜୋରଦାର ବିରୋଧ କରାଯାଇଛି । ପତଞ୍ଜଳୀ ସାମଗ୍ରୀ ବୟକଟ ଓ ରାମଦେବ କ୍ଷମା ମାଗନ୍ତୁ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।
ବିବାଦ ତେଜିବା ପରେ ଏନେଇ ସଫେଇ ଦେଇଛନ୍ତି ବାବା ରାମଦେବ । ଏହି ମାମଲାରେ ରାମଦେବଙ୍କୁ ପଚରାଯିବାରୁ ସେ ଏପରି କିଛି କହିନଥିବା ନିଜ ଉତ୍ତର ରଖିଛନ୍ତି । ମୁଁ ଓବିସି ନୁହେଁ ଓଓ୍ବେସୀ ( AIMIM ମୁଖ୍ୟ ଅସରୁଦ୍ଦିନ ଓଓ୍ବେସି) କହିଥିବା କହିଛନ୍ତି ରାମଦେବ । ସେ କହିଛନ୍ତି ଯେ, ଓବିସିକୁ ନେଇ ମୁଁ କେବେ କିଛି ଓଲଟା ବୟାନ ଦେଇନାହିଁ । ଓଓ୍ବେସୀ ଓ ତାଙ୍କ ପୂର୍ବଜମାନଙ୍କର ସବୁବେଳେ ଦେଶଦ୍ରୋହୀ ଚିନ୍ତାଧାରା ରହିଛି । ସେହି ବାବଦରେ ମୁଁ ତାକୁ କେବେ ଗଭୀରତା ସହ ନେଇନାହିଁ । ମୁଁ କେବେ ଓବିସି ସମ୍ପ୍ରଦାୟ ବିରୋଧରେ କୌଣସି ଓଲଟା ମତ ରଖିନାହିଁ । ଅନ୍ୟପଟେ ରାମଦେବଙ୍କ ଏଭଳି ଟିପ୍ପଣୀ ପରେ ଅସରୁଦ୍ଦିନ ଓଓ୍ବେସୀ ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ରିପୋଷ୍ଟ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ... ମହିଳା ମାନେ କିଛି ନପିନ୍ଧିଲେ ଅଧିକ ସୁନ୍ଦର ଦିଶନ୍ତି: ବାବା ରାମଦେବ
ଏହାମଧ୍ୟ ପଢନ୍ତୁ... ଏଲୋପାଥୀକୁ ନେଇ ବାବା ରାମଦେବଙ୍କ ବିବାଦୀୟ ବୟାନ, କହିଲେ ପୋତି ଦେବି
ତେବେ ଯୋଗଗୁରୁ ରାମଦେବଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିବା କିଛି ନୂଆ କଥା ନୁହେଁ । ଏହାପୂର୍ବରୁ ମଧ୍ୟ ରାମଦେବ ଏଭଳି ଅନେକ ବିବାଦୀୟ ବୟାନ ଦେଇ ଅଡୁଆରେ ଫସିଛନ୍ତି । ପୂର୍ବରୁ ଏଲୋପାଥିକୁ ନେଇ ମଧ୍ୟ ଏକ ବିବାଦୀୟ ବୟାନ ଦେଇଥିଲେ ରାମଦେବ । ହରିଦ୍ବାର ଋଷିକୂଳ ଆୟୁର୍ବେଦ କଲେଜରେ ଅନୁଷ୍ଠିତ ଏକ ଆୟୁର୍ବେଦ ସେମିନାରରେ ଯୋଗ ଦେଇ ଏଲୋପାଥିକୁ ଭୂମିରେ ପୋତିଦେବୁ ବୋଲି ମନ୍ତବ୍ୟ ରଖିଥିଲେ । ଯାହାକୁ ଯେଉଁ ବିବାଦ ଜୋର ଧରିଥିଲା ।