ନୂଆଦିଲ୍ଲୀ: ଏଲୋପାଥି ଔଷଧକୁ ନେଇ ଯୋଗଗୁରୁ ବାବା ରାମଦେବ ଦେଇଥିବା ବିବାଦୀୟ ବୟାନକୁ ଫେରାଇ ନେଇଛନ୍ତି । ତେବେ ସେ ଡାକ୍ତରୀ ବିଜ୍ଞାନର ସମସ୍ତ ପ୍ରକାରର ଔଷଧକୁ ସମ୍ମାନ ଦିଅନ୍ତି ବୋଲି କହିଛନ୍ତି ।
ପୂର୍ବରୁ ଏଲୋପାଥି ମେଡିସିନ ଦେବାଳିଆ ବା ମୂର୍ଖ ବିଜ୍ଞାନ । ଏହି ମେଡିସିନ ଖାଇ ଦେଶରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ବୋଲି ସେ କହିଥିଲେ । କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ରେମଡେସିଭିର, ଫାଭିଫ୍ଲୁ ଓ ଅନ୍ୟ ଔଷଧ ଆକ୍ରାନ୍ତଙ୍କୁ ସୁସ୍ଥ କରୁନଥିବା ସେ ଅଭିଯୋଗ କରିଥିଲେ । ଭାରତର ଡ୍ରଗ କଣ୍ଟ୍ରୋଲର ଜେନେରାଲ ରେମଡେସିଭିର ଏବଂ ଫାଭିଫ୍ଲୁର ବ୍ୟବହାର ପାଇଁ ଅନୁମତି ଦେବା ପରେ ଏହି ଔଷଧର ବ୍ୟବହାର ହୋଇଥିଲା ।
ଯୋଗଗୁରୁ ରାମଦେବଙ୍କ ବିବାଦୀୟ ବୟାନ ପାଇଁ ତାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଭାରତୀୟ ମେଡିକାଲ ଆସୋସିଏସନ ଦାବି କରିଥିଲା । ଏଲୋପାଥି ବିରୁଦ୍ଧରେ ଏଭଳି ବୟାନ ଦେଇ ରାମଦେବ ବୈଜ୍ଞାନିକ ଔଷଧକୁ ବଦନାମ କରିଥିବା ଆସୋସିଏସନ କହିଥିଲା । ରାମଦେବଙ୍କ ଏହି ଅଶିକ୍ଷିତ ମନ୍ତବ୍ୟ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ନିକଟରେ ଆସୋସିଏସନ ଦାବି କରିଥିଲା ।
ଏହାପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରାମଦେବଙ୍କ ନିକଟକୁ ପଠାଇଥିବା ପତ୍ରରେ ସେ ତୁରନ୍ତ ତାଙ୍କ ମନ୍ତବ୍ୟକୁ ଫେରାଇ ନିଅନ୍ତୁ ବୋଲି ଉଲ୍ଲେଖ କରିଥିଲେ । ରାମଦେବଙ୍କ ଏହି ବୟାନ ଏଲୋପାଥି ଓ ଅତ୍ୟାଧୁନିକ ଔଷଧକୁ ବଦନାମ କରିବା ସହିତ କୋଭିଡ ଆକ୍ରାନ୍ତଙ୍କ ବିରୋଧରେ ଲଢୁଥିବା ଡାକ୍ତରଙ୍କ ଭାବନାକୁ ଆଘାତ ପହଞ୍ଚିଛି ବୋଲି ଚିଠିରେ ଉଲ୍ଲେଖ ହୋଇଥିଲା ।