ହାଇଦ୍ରାବାଦ: ୭୫ ବର୍ଷରେ ପାଦ ଥାପିଛି ସ୍ବାଧୀନତାର ଭାରତ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ଦେଖିଥିଲା ମୁକ୍ତିର ସକାଳ । ଦେଶ ସ୍ବାଧୀନ ହେଲା, ଫିରିଙ୍ଗି ଶାସନ ହଟିଲା । ମୁକ୍ତି ଯୁଦ୍ଧରେ ଅନେକ ଶହୀଦ ହେଲେ। ସଂଗ୍ରାମୀଙ୍କ ଲହୁ ଲୁହରେ ଲେଖାହେଲା ସ୍ବାଧୀନତାର ଇତିହାସ । ମାଟି ପାଇଁ ନିଜର ସାମର୍ଥ୍ୟ, ଜୀବନ, ବଳିଦାନ ଦେଇ ଆଜି ସେହି ମହିୟସୀ ମହିଳାମାନେ ଚିରସ୍ମରଣୀୟ । ସେହି ମହିୟସୀଙ୍କ ମଧ୍ୟରୁ କସ୍ତୁରବା ଗାନ୍ଧୀ, ସରୋଜିନୀ ନାଇଡୁ, କମଳାଦେବୀ ଚଟ୍ଟୋପାଧ୍ୟାୟ, ରାଣୀ ଲଷ୍ମୀବାଈ ଏବଂ ରମାଦେବୀ ଚୌଧୁରୀ ଥିଲେ ଅନ୍ୟତମ ।
ସ୍ବାଧୀନତାର ମହାନାୟିକା
କସ୍ତୁରବା ଗାନ୍ଧୀ: ଇତିହାସ କସ୍ତୁରବା ଗାନ୍ଧୀଙ୍କୁ ତାଙ୍କୁ ସ୍ବାମୀ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିବିମ୍ବ ରୂପେ ଚିତ୍ରିତ କରେ । କିନ୍ତୁ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ତାଙ୍କ ବଳିଦାନ କିଛି କମ ନୁହେଁ । ୧୮୮୩ ମସିହାରେ ମହାତ୍ମାଗାନ୍ଧୀଙ୍କୁ ସେ ବିବାହ କରିଥିଲେ । ସ୍ବାମୀ ଓ ପୁଅଙ୍କ ସହ ମିଶି ବ୍ରିଟିଶ ସରକାର ବିରୋଧରେ ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଜଡ଼ିତ ଥିଲେ । ମୁକ୍ତିର ସଂଗ୍ରାମରେ ମହିଳାଙ୍କ ନେତୃତ୍ବ ନେବାରେ ତାଙ୍କର ଅସାଧାରଣ ଭୂମିକା ଥିଲା । ମହିଳାଙ୍କ ମଧ୍ୟରେ ଦେଶ ପାଇଁ ଲଢ଼ିବାର ପ୍ରତି ବଦ୍ଧତା ଭରିଦେଉଥିଲେ । ବୋରସଦ ସତ୍ୟାଗ୍ରହ ଓ ବର୍ଦ୍ଦୋଳି ସତ୍ୟାଗ୍ରହରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ । ମହିଳାଙ୍କୁ ଧରି ପଦଯାତ୍ରା ଓ ଶଗଡ଼ ଗାଡ଼ିରେ ଗାଁରୁ ସହର ବୁଲି ମଦ ଦୋକାନ ବନ୍ଦ କରିବା ଏବଂ ନିଜସ୍ବ ଖଦି ବୁଣଇ ପିନ୍ଧିବା ପାଇଁ ଆହ୍ବାନ କରୁଥିଲେ । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଗିରଫ ହେବା ପରେ ବନ୍ଦୀ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ସରୋଜିନୀ ନାଇଡୁ: ଦେଶ ସ୍ବାଧୀନତା ପାଇଁ ଭାରତୀୟ ରାଷ୍ଟ୍ରୀୟ ଆନ୍ଦୋଳନରେ ସରୋଜିନୀ ନାଇଡୁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ମହିଳାଙ୍କ ଅଧିକାର ପାଇଁ ତାଙ୍କ ସଂଘର୍ଷ ଚିରସ୍ମରଣୀୟ । ପାଠ ପଢ଼ିବାବେଳୁ ସେ ନିଜକୁ ଭାରତ ଆନ୍ଦୋଳନରେ ସାମିଲ କରିଥିଲେ । ୧୯୨୮ରେ ବ୍ରିଟିଶ ସରକାରଙ୍କ ଦ୍ବାରା ଭାରତରେ ହୋଇଥିବା ପ୍ଲେଗ ମହାମାରୀ ସମୟରେ ଅଦ୍ଭୁତପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ କେସର-ଏ-ହିନ୍ଦୀରେ ସମ୍ମାନିତ କରାଯାଇଥିଲା । 1947 ମସିହାରେ ବ୍ରିଟିଶ ଶାସନରୁ ଭାରତର ସ୍ବାଧୀନତା ପରେ ସରୋଜିନୀ ନାଇଡୁଙ୍କୁ ୟୁନାଇଟେଡ୍ ପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା, ଯାହା ଆଜି ଉତ୍ତରପ୍ରଦେଶ ଭାବରେ ଜଣାଶୁଣା । ଏହା ତାଙ୍କୁ ଭାରତର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ପରିଣତ କରିଥିଲା। ତାଙ୍କର ଦୃଢ ରାଜନୈତିକ କ୍ୟାରିୟର ବ୍ୟତୀତ ସରୋଜିନୀ ନାଇଡୁ ତାଙ୍କ କବିତା ପାଇଁ ବେଶ୍ ଜଣାଶୁଣା ।
କମଳାଦେବୀ ଚଟ୍ଟୋପାଧ୍ୟାୟ: ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଆବିଚ୍ଛେଦ୍ୟ ଅଙ୍ଗ ଥିଲେ କମଳାଦେବୀ । 1930 ମସିହାରେ ଲବଣ ସତ୍ୟାଗ୍ରହରେ ତାଙ୍କର ଅନନ୍ୟ ଭୂମିକା ରହିଥିଲା । ଭାରତ ଛାଡ଼ ଆନ୍ଦୋଳନରେ ଅଦ୍ଭୁଦପୂର୍ବ ବୀରତ୍ବ ପ୍ରଦର୍ଶନ କରିଥିଲେ । ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ସରକାର ଦ୍ବାରା ଗିରଫ ହୋଇଥିବା ପ୍ରଥମ ମହିଳା ଥିଲେ କମଳାଦେବୀ ।
ରାଣୀ ଲଷ୍ମୀବାଈ: ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ସଶସ୍ତ୍ର ଲଢ଼େଇ କରିଥିବା ଅନନ୍ୟ ବୀର ହେଉଛନ୍ତି ରାଣୀ ଲକ୍ଷ୍ମୀବାଈ । 1857ରେ ପ୍ରଥମ ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଲକ୍ଷ୍ମୀବାଈଙ୍କ ନାମ ଶୁଣିଲେ ଥରିଉଠୁଥିଲା ଗୋରାଙ୍କ ଛାତି। ଦେଶକୁ ଗୋରଙ୍କ କବଳରୁ ରକ୍ଷା କରିବା ପାଇଁ ସେ ନିଜ ସ୍ବାମୀ ଓ ୪ ମାସର ପୁଅକୁ ହରାଇଛନ୍ତି । ୧୮୫୪ରେ ଇଂରେଜ ଝାନସୀର ସମ୍ପତ୍ତିକୁ କବଜା କରି ନେଇଥିଲେ । ଝାନ୍ସୀର ରକ୍ଷା ପାଇଁ ବ୍ରିଟିଶ ସରକାର ସହ ଯୁଦ୍ଧ କରିଥିଲେ । ଦୀର୍ଘ ଦିନର ସଂର୍ଘଷ ପରେ ଲକ୍ଷ୍ମୀବାଈଙ୍କ ଆଗରେ ହାର ମାନିଥିଲେ ଫିରିଙ୍ଗି ।
ରମାଦେବୀ ଚୌଧୁରୀ: ଦେଶ ସ୍ବାଧୀନତା ସଂଗ୍ରାମରେ ରମାଦେବୀ ଚୌଧୁରୀଙ୍କ ଉଲ୍ଲେଖନୀୟ ଭୂମିକା ରହିଥିଲା। ଉତ୍କଳ ଗୌରବ ମଧୁସୁଦନ ଦାସ( Utkal Gaurab Madhusudan Das)ଙ୍କ ଝିଆରୀ ହେଉଛନ୍ତି ରମାଦେବୀ । ୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ,୧୯୪୩ ଅଗଷ୍ଟ ୮ ଗାନ୍ଧୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶ ସହ ଶ୍ରୀକ୍ଷେତ୍ର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ମୁଖ୍ୟ ଦାୟିତ୍ବ ନେଇଥିଲେ ରମାଦେବୀ । ବଡ଼ ବାପା ମଧୁସୁଦନ ଓ ଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ୱାର୍ଦ୍ଧା ଆଶ୍ରମ ଶୈଳୀରେ "ବରି ଆଶ୍ରମ" ଗଢ଼ିଥିଲେ । ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜମାନଙ୍କୁ ବିଚଳିତ କରିଥିଲା । ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ କଟକ ଜେଲରେ ରଖାଯାଇଥିଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ସମ୍ପୃକ୍ତି ହେତୁ ଇଂରେଜ ସରକାର ରମାଦେବୀ ଓ ସ୍ବାମୀ ଗୋପବନ୍ଧୁଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଇଥିଲେ । ଶେଷରେ ରମାଦେବୀ ୧୯୮୫ ମସିହା ଜୁଲାଇ ୨୨ରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଅବଦାନ ପାଇଁ ତାଙ୍କ ନାମରେ ରାଜଧାନୀ ଭୁବନେଶ୍ବରରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି ।