ଲକ୍ଷ୍ନୌ: ଆସନ୍ତାବର୍ଷ ଜାନୁଆରୀରେ ଅଯୋଧ୍ୟାରେ ବହୁପ୍ରତୀକ୍ଷିତ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଅଯୋଧ୍ୟାରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ କାର୍ଯ୍ୟକ୍ଷମ ହେବ । ଚଳିତ ମାସ 15 ତାରିଖ ସୁଦ୍ଧା ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ପ୍ରଥମ ପର୍ଯ୍ୟାୟ ସହ ବିମାନ ବନ୍ଦର ଫ୍ଲାଇଟ ଅପରେସନ ପାଇଁ ସକ୍ଷମ ହେବ । ଏଥିରେ ବୋଇଂ-737, ଏୟାରବସ-319 ଓ ଏୟାରବସ-320 ପରି ବିମାନ ଅପରେଟ କରାଯାଇପାରିବ । ଏହାର ନାମ ରଖାଯାଇଛି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅନ୍ତର୍ଜାତୀୟ ବିମାନ ବନ୍ଦର ।
ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କେନ୍ଦ୍ରମନ୍ତ୍ରୀ ବି.କେ ସିଂ ପ୍ରମୁଖ ବିମାନ ବନ୍ଦର ପରିଦର୍ଶନ କରି ଶେଷ ପର୍ଯ୍ଯାୟରେ ପହଞ୍ଚିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନିର୍ମାଣକାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଆଲୋଚନା କରିଥିଲେ । ପୂର୍ବରୁ ଅଯୋଧ୍ୟାରେ ମାତ୍ର 178 ଏକର ପରିମିତ ଅଞ୍ଚଳରେ ଏୟାରଷ୍ଟ୍ରିଫ ଥିଲା । ରାଜ୍ୟ ସରକାର 821 ଏକର ଜମି ଯୋଗାଇ ଦେଇଥିଲେ । ଏବେ ଏହା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପରିଣତ ହୋଇଛି । ଚଳିତ ଡିସେମ୍ବର 15 ତାରିଖ ସୁଦ୍ଧା ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ଯାଉଥିବା ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିରରେ ପୂଜକ ହେବା ପାଇଁ 3 ହଜାର ଆବେଦନ, ଟ୍ରଷ୍ଟ ଜାରି କରିଥିଲା ବିଜ୍ଞପ୍ତି
ଜାନୁଆରୀ 22 ତାରିଖରେ ହେବାକୁ ଥିବା ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ 2020 ମସିହା ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଶ୍ରୀରାମ ମନ୍ଦିର ଶିଳାନ୍ୟାସ କରାଯାଇଥିଲା । ଏହି ଭବ୍ୟ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁପରିଚାଳନା ପରି ଅତ୍ୟାଧୁନିକ ଭିତ୍ତିଭୂମି ସହ ନିର୍ମାଣ କରାଯାଉଛି । ତେବେ ଜାନୁଆରୀ 22 ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ ।2026 ସୁଦ୍ଧା ଏହି ମନ୍ଦିର ପ୍ରକଳ୍ପକୁ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ