ନୂଆଦିଲ୍ଲୀ: ଭାରତ ସହ ବାଣିଜ୍ୟିକ ଓ ଅର୍ଥନୈତିକ ସମ୍ପର୍କର ଅଗ୍ରଗତି ନେଇ ଖୁସି ମନାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ଭାରତ ନିର୍ମିତ ଅନେକ ସାମଗ୍ରୀକୁ ନିଜ ଦେଶରେ କରମୁକ୍ତ ଆମଦାନି କରିବା ପାଇଁ ଅଷ୍ଟ୍ରେଲିଆ ଚୁକ୍ତିନାମା ସ୍ବାକ୍ଷର କରିଛି । ଗତକାଲି (ଶନିବାର) ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଇନଷ୍ଟାଗ୍ରାମରେ ଏକ ଫୋଟ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଖେଚୁଡ଼ି ତିଆରି କରୁଥିବା ଦେଖାଯାଉଛି ।
ମୋରିସନ୍ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଖେଚୁଡ଼ି ଫଟୋ ପୋଷ୍ଟ କରି ଲେଖିଛନ୍ତି "ଭାରତ ସହିତ ନୂତନ ବାଣିଜ୍ୟ ଚୁକ୍ତିର ଉତ୍ସାହ ପାଳନ କରୁଛି । ଏହି ଅବସରରେ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିୟ ଖାଦ୍ୟ ଖେଚୁଡ଼ି ତିଆରି କରିଛି, ଯାହା ଗୁଜୁରାଟରୁ ଆସିଛି " । ବର୍ତ୍ତମାନ ସୁଦ୍ଧା ଏହି ପୋଷ୍ଟରେ 17,122 ଲାଇକ ଏବଂ 1,427ରୁ ଅଧିକ କମେଣ୍ଟ ଆସିଛି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଓ ଅର୍ଥନୈତିକ କାରବାର ବୃଦ୍ଧି ଲାଗି ଆଲୋଚନା ହୋଇଥିଲା । ଏହାସହିତ ଦ୍ବିପାକ୍ଷିକ ସମ୍ପର୍କ ମଜବୁତ୍ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।