ଲକ୍ଷ୍ନୌ: ଷ୍ଟେଜ ସୋ’ ବେଳେ ବେକାବୁ ହେଲା ଦର୍ଶକଙ୍କ ଭିଡ । ମଞ୍ଚରେ କଳା ପରିବେଷଣ ପାଇଁ ଆସିଥିବା କଳାକାରଙ୍କୁ କଲେ ଆକ୍ରମଣ । ଉଭୟ କଳାକାର ଓ ଦର୍ଶକଙ୍କ ଉପରେ ବର୍ଷିଲା ପଥର । ଉତ୍ତର ପ୍ରଦେଶ ବଲିଆରେ ଗତକାଲି (ସୋମବାର) ରାତିରେ ଲୋକପ୍ରିୟ ଭୋଜପୁରୀ କଣ୍ଠଶିଳ୍ପୀ ତଥା ଅଭିନେତା ପୱନ ସିଂଙ୍କ କାର୍ଯ୍ୟକ୍ରମରେ ଏପରି ଉତ୍ତେଜନା ଓ ହିଂସା ଦେଖିବାକୁ ମିଳିଛି । ଏଥିରେ ପଓ୍ବନଙ୍କ ସମେତ ଅନ୍ୟ କିଛି ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ବଳ ପ୍ରୟୋଗ କରି ଭିଡ ନିୟନ୍ତ୍ରଣ କରିଥିଲା । କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ ରଖି ଅଭିନେତା ପଓ୍ବନଙ୍କୁ ସୁରକ୍ଷିତ କାର୍ଯ୍ୟକ୍ରମସ୍ଥଳରୁ ବାହାର କରିବାକୁ ପଡିଥିଲା ।
ସୂଚନା ଅନୁସାରେ, ଗତକାଲି ରାତିରେ ବଲିଆ ଜିଲ୍ଲାର ନାଗ୍ରା ଅଞ୍ଚଳର ଏକ ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଲୋକପ୍ରିୟ ଭୋଜପୁରୀ କଣ୍ଠଶିଳ୍ପୀ ତଥା ଅଭିନେତା ପଓ୍ବାନ ସିଂ କଳା ପ୍ରଦର୍ଶନ କରିବା ପାଇଁ ମଞ୍ଚରେ ଥିଲେ । ଏହି ସମୟରେ ମାତ୍ରାଧିକ ଦର୍ଶକଙ୍କ ଭିଡ ଫର୍ମମାଇସ ଗୀତକୁ ନେଇ ବେକାବୁ ହୋଇପଡିଥିଲେ । ମଞ୍ଜ ଉପରକୁ ପଥର ମାଡ କରିଥିଲେ । ମୁଖ୍ୟ କଳାକାର ପଓ୍ବନଙ୍କ ସହ ଏକାଧିକ ସହଯୋଗୀ କଳାକାର ମଧ୍ୟ ଆହତ ହୋଇଥିଲେ । ପଓ୍ବନଙ୍କ ମୁଁହରେ ଆଘାତ ଲାଗିଛି ।
ଆୟୋଜକମାନେ କାର୍ଯ୍ୟକ୍ରମ ବନ୍ଦ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବଳ ପ୍ରୟୋଗ କରିଥିଲା । ଲାଠିଚାର୍ଜ କରି କେବାକୁ ଦର୍ଶକଙ୍କୁ ଘଟଣାସ୍ଥଳରୁ ଘଉଡାଯାଇଥିଲା । ତେବେ ଅଭିନେତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ବାହାରକୁ ପଠାଯାଇଥିଲା । ହେଲେ ଅଭିନେତା କିମ୍ବା ଆୟୋଜକ କମିଟି ପକ୍ଷରୁ ଆକ୍ରମଣ ନେଇ ସ୍ଥାନୀୟ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୋଲିସ କହିଛି ।
ଯଦି ସେପରି କିଛି ଅଭିଯୋଗ ଆସେ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅନ୍ୟ ଏକ ସୂଚନା ଅନୁସାରେ କଳାକାର ମଞ୍ଚରେ କଳା ପ୍ରଦର୍ଶନ କରୁଥିବା ବେଳେ କିଛି ଦର୍ଶକ ଗୋଷ୍ଠୀ ନିର୍ଦ୍ଦିଷ୍ଟ ପସନ୍ଦର ଗୀତ ପରିବେଷଣକୁ ନେଇ ଜିଦ ଧରିଥିଲେ । ପରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ଉଭୟ ଦର୍ଶକ ବସିଥିବା ସ୍ଥାନ ଓ ମଞ୍ଚକୁ ଅତର୍କିତ ପଥର ମାଡ ହୋଇଥିଲା । ଏଥିରେ ପୁରା କାର୍ଯ୍ୟକ୍ରମରେ ହଂସା ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ