ହାଇଦ୍ରାବାଦ: ପଞ୍ଚଭୂତରେ ଲୀନ ହେଲେ ରାମୋଜୀ ଫିଲ୍ମ ସିଟି (RFC)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଟଲୁରୀ ରାମମୋହନ ରାଓ । ଗତକାଲି ତାଙ୍କର 87 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା (Atluri Rammohan Rao passes away) । ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଗତ କିଛି ଦିନ ହେବ ଚିକିତ୍ସାଧୀନ ଥିଲେ । ତେବେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଭରତ ବାୟୋଟେକ ସିଏମଡି ଡକ୍ଟର କ୍ରିଷ୍ଣା ଇଲା, ଜେଏମଡି ଡକ୍ଟର ସୁଚିତ୍ର ଇଲା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଜାନା ଚୌଧୁରୀ, ବିଧାୟକ ଏମ.କିଶନ ରେଡ୍ଡୀ, ସିନେ ପ୍ରଯୋଜକ ସି.ଶ୍ରୀନିବାସା ରାଓ, ପ୍ରସନ୍ନ କୁମାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶେଷକୃତ୍ୟସ୍ଥଳରେ ଶେଷ ଦର୍ଶନ କରିବା ସହ ଦିବଙ୍ଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାମୋଜି ଗ୍ରୁପ୍ ଅଫ୍ କମ୍ପାନୀର ବହୁ ସଂଖ୍ୟକ କର୍ମଚାରୀ, ସମ୍ପର୍କୀୟ ତଥା ଶୁଭେଚ୍ଛୁମାନେ ମଧ୍ୟ ଶେଷକୃତ୍ୟରେ ସାମିଲ ହୋଇ ଶେଷ ଦର୍ଶନ କରିଥିଲେ ।
1935 ମସିହାରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପେଦାପାରୁପୁଦିରେ ଜନ୍ମଗ୍ରହଣ କରିଥିଲେ ରାଓ । ସେ 1975ରେ ରାମୋଜୀ ଗ୍ରୁପର ଇନାଡୁରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରେ ରାମୋଜୀ ଗୃପ ଅଫ କମ୍ପାନୀ ସହ ଦୀର୍ଘଦିନ ଧରି କାମ କରିବା ସହ ରାମୋଜୀ ଫିଲ୍ମସିଟିର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟଭାର ସମ୍ଭାଳି ଥିଲେ । ରାମୋଜୀ ଗୃପର ମୁଖ୍ୟ ସି. ରମୋଜୀ ରାଓଙ୍କର ସେ ବାଲ୍ୟବନ୍ଧୁ ମଧ୍ୟ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ