ବେଙ୍ଗାଲୁରୁ: ବାରମ୍ବାର ମଦ୍ୟପାନ କରି ଘରେ ବିଶୃଙ୍ଖଳା ସୃଷ୍ଟି କରୁଥିଲା ଯୁବକ । ମଦ ପିଇବା ପାଇଁ ଘରଲୋକଙ୍କୁ ଟଙ୍କା ଦେବା ପାଇଁ ଚାପ ପକାଉଥିଲା । ଟଙ୍କା ନମିଳିଲେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ସହ ଧମକ ଚମକ ଦେଉଥିଲା । ଏହି କାରଣରୁ ସମ୍ପୃକ୍ତ ଯୁବକଙ୍କ ବାପା ଓ ଭାଇ ତାକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକର ବେଲଗାଭୀରେ ଏପରି ଏକ ହତ୍ୟାକାଣ୍ଡର ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକ ସ୍ଥାନୀୟ ରାୟବାଗ ତାଲୁକ ଅଞ୍ଚଳର 24 ବର୍ଷୀୟ ସୌମ୍ୟ ମହାଲିଙ୍ଗାୟ ହିରେମତ ବୋଲି ଚିହ୍ନଟ ହୋଇଛନ୍ତି ।
ହତ୍ୟା କରିବା ପରେ ମୃତଦେହକୁ ଘର ପଛପଟେ ଏକ କ୍ଷେତରେ ମୃତକଙ୍କ ପରିବାର ସଦସ୍ୟ ପୋଡି ମଧ୍ୟ ଦେଇଥିଲେ । ହେଲେ ମୃତ ଯୁବକଙ୍କ ଦେହରେ କ୍ଷତ ଚିହ୍ନ ଥିବା ଦେଖି ପଡୋଶୀ ଓ ଗ୍ରାମବାସୀଙ୍କ ଯୁବକଙ୍କ ମୃତ୍ୟୁ ନେଇ ସନ୍ଦେହ ହେବାରୁ ସମାନେ ପୋଲିସକୁ ସୂଚନା ଦେଇଥିଲେ । ହେଲେ ପୋଲିସ ପହଞ୍ଚିବା ବେଳେକୁ ମୃତଦେହର ଦାହ ଶେଷ ହୋଇଯାଇଥିଲା । ପୋଲିସ ଫେରେନସିକ ଟିମ ସହୟତାରେ ମୃତଦେହର ଅବଶେଷ ପରୀକ୍ଷା ପାଇଁ ପଠାଇଛି । ପୋଲିସ ଦୁଇ ଅଭିଯୁକ୍ତ ତଥା ମୃତକଙ୍କ ବାପା ଓ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମାନେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ନିକଟରେ ସ୍ବୀକାର ମଧ୍ୟ କରିଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ:-ଅତିଷ୍ଠ କଲା ନ୍ୟୁଡ୍ କଲ୍ ବ୍ଲାକମେଲିଂ, ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ
ସ୍ଥାନୀୟ ପୋଲିସ ଏହି ପ୍ରାଥମିକ ତଦନ୍ତ ପରେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି, ମୃତକ ସୌମ୍ୟ ମହାଲିଙ୍ଗାୟ ହିରେମତ ନିୟମିତ ମଦ୍ୟପାନ କରି ଘରେ ବିଶୃଙ୍ଖଳା କରୁଥିଲେ । ବାରମ୍ବାର ନିଶା ସେବନ ପାଇଁ ଟଙ୍କା ମଧ୍ୟ ମାଗୁଥିଲେ । ଏହି ଘଟଣାକୁ କେନ୍ଦ୍ର କରି ତାର ବାପା ଓ ଭାଇ ତାକୁ ମାଡ ମାରିବା ବେଳେ ତାର ମୃତ୍ୟୁ ହୋଇଥିଲା । ଏଥିରେ ଭୟଭୀତ ହୋଇ ପରିବାର ସମସ୍ତ ସଦସ୍ୟ ମିଶି ଏହାକୁ ଆକଷ୍ମିକ ମୃତ୍ୟୁ ଦର୍ଶାଇ ତାର ଶେଷକୃତ୍ୟ ମଧ୍ୟ ସମ୍ପନ୍ନ କରିଦେଇଥିଲେ । ହେଲେ ଗ୍ରାମବାସୀ ମୃତଦେହରେ କ୍ଷତଚିହ୍ନ ଦେଖି ପୋଲିସକୁ ସୂଚନା ଦେବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ