ନୂଆଦିଲ୍ଲୀ : ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି ବିଜେପି ସଭାପତି ତଥା ତେଲେଙ୍ଗାନାର ସାଂସଦ ବଣ୍ଡି ସଞ୍ଜୟ ବିବାଦୀୟ ବୟାନ ଦେଇଛନ୍ତି। ହାଇଦ୍ରାବାଦର ପୁରୁଣା ସହରରେ ରୋହିଙ୍ଗ୍ୟା ଏବଂ ପାକିସ୍ତାନୀ ଭୋଟର ରହୁଥିବା ଦର୍ଶାଇ ସେ କହିଛନ୍ତି ଯେ, ‘‘ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ଜିତିବାର ତୁରନ୍ତ ପରେ ଆମେ ପୁରୁଣା ସହର ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବୁ।’’
ଅସଦୁଦ୍ଦିନ ୱବେସୀ ମଧ୍ୟ ବଣ୍ଡି ସଞ୍ଜୟଙ୍କ ଏହି ବୟାନରେ କହିଛନ୍ତି ଯେ, ‘‘ମୁଁ ଆପଣଙ୍କୁ 24 ଘଣ୍ଟା ସମୟ ଦେଉଛି, ଆପଣ ଆମକୁ କୁହନ୍ତୁ ଏଠାରେ କେତେଜଣ ପାକିସ୍ତାନୀ ରହୁଛନ୍ତି । ସେ କହିଛନ୍ତି ଯେ, ‘‘ପୁରୁଣା ହାଇଦ୍ରାବାଦର ପ୍ରତ୍ୟେକ ନାଗରିକ ଜଣେ ଜଣେ ଭାରତୀୟ ଏବଂ ଏଠାରେ ରହିବାର ଅଧିକାର ଅଛି।’’
ଏହା ପୂର୍ବରୁ ଅର୍ଥାତ, ସୋମବାର ୱବେସୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଅସାଦୁଦ୍ଦିନ ୱବେସୀ କହିଛନ୍ତି ଯେ, ‘‘ଯଦି ନିର୍ବାଚନ ତାଲିକାରେ 30,000 ରୋହିଙ୍ଗ୍ୟା ଅଛନ୍ତି, ତେବେ ଦେଶର ଗୃହମନ୍ତ୍ରୀ ଅମିତ ଶାହା କଣ କରୁଛନ୍ତି? ସେମାନେ ଶୋଇଛନ୍ତି କି? 30-40 ହଜାର ରୋହିଙ୍ଗ୍ୟା କିପରି ତାଲିକାଭୁକ୍ତ ହୋଇଛନ୍ତି, ତାହା ଦେଖିବା ତାଙ୍କର କାମ ନୁହେଁ କି? ଯଦି ବିଜେପି ସଚ୍ଚୋଟ, ତେବେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହିପରି 1000 ନାମ ଦେଖାଇବା ଉଚିତ୍।’’
ୱବେସୀ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ତାଙ୍କର ଉଦ୍ଦେଶ୍ୟ ଘୃଣା ସୃଷ୍ଟି କରିବା। ଜିଏଚ୍ଏମ୍ସି ନିର୍ବାଚନର ଏ ଲଢେଇ ହାଇଦ୍ରାବାଦ ଏବଂ ଭାଗ୍ୟନଗର ମଧ୍ୟରେ। ବର୍ତ୍ତମାନ କିଏ ଜିତିବ ତାହା ସ୍ଥିର କରିବା ଆପଣଙ୍କ ଦାୟିତ୍ୱ।’’