ଗାନ୍ଧୀନଗର: ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ (Arvind Kejriwal ) ଗୁଜୁରାଟ ନିର୍ବାଚନ( Gujurat Election Result) ରେ ଦଳୀୟ ପ୍ରଦର୍ଶନକୁ ନେଇ ଗଭୀର ଆତ୍ମବିଶ୍ବାସୀ ହୋଇପଡିଥିଲେ । ଦଳୀୟ ବିଜୟ ନେଇ ଏତେ ଆତ୍ମବିଶ୍ବାସ ଥିଲା କେଉଁ ଦଳୀୟ ପ୍ରାର୍ଥୀ କେତେ ଭୋଟରେ ବିଜୟୀ ହେବେ ତାହା ଲିଖିତ ଆକାରରେ ଦେଇଥିଲେ । ଆଜି ନିର୍ବାଚନ ଫଳାଫଳ ଆସିବା ପରେ କେଜ୍ରିୱାଲଙ୍କ ଏହି ଦାବି ଯେ ହାୱା ଥିଲା ତାହା ସ୍ପଷ୍ଟ ହୋଇଛି । ନିର୍ବାଚନ ପ୍ରଚାର ବେଳେ କେଜ୍ରିୱାଲ ଦଳର ୩ ଜଣ ପ୍ରାର୍ଥୀଙ୍କ ଫଳାଫଳ କଣ ହେବ ତାହା ଲିଖିତ ଆକାରରେ ଦେଇଥିଲେ । ଯେଉଁ ତିନି ଜଣ ପ୍ରାର୍ଥୀଙ୍କ ସମ୍ପର୍କରେ ଲିଖିତ ଆକାରରେ ଦେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢବୀ (AAP Cm candidate isudan gadhvi) , ଅଳ୍ପେଶ କଠାରୀୟା (Alpesh Kathiriya) ଓ ରାଜ୍ୟ ସଭାପତି ଗୋପାଳ ଇଟାଲିୟା (Gopal Italia) । ଏବେ ନଜର ପକାନ୍ତୁ ଏହି ପ୍ରାର୍ଥୀଙ୍କ ସ୍ଥିତି ଓ କେଜ୍ରିୱାଲଙ୍କ ଲିଖିତ ଭବିଷ୍ୟବାଣୀ ଉପରେ ।
ଏହାବି ପଢନ୍ତୁ- Gujurat Election Result: ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଛା ପୂରଣ ହେଲା: CR Patil
ଗୋପାଳ ଇଟାଲୀୟା
ଗୋପାଳ ଇଟାଲୀୟା (Gopal Italia) ହେଉଛନ୍ତି ଆମ ଆଦମୀ ପାର୍ଟି ଗୁଜୁରାଟ ଶାଖା ମୁଖ୍ୟ । ମ୍ୟୁନିସିପାଲ ନିର୍ବାଚନ ପୂର୍ବରୁ ଗୋପାଳ ଆପରେ ସାମିଲ ହୋଇଥିଲେ । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ଟିପ୍ପଣା ଦେଇ ବିବାଦୀୟ ହୋଇପଡିଥିଲେ । ଗୋପାଳ କତ୍ତରଗାମ ଆସନରୁ ପ୍ରତିଦ୍ବନ୍ଦିତା କରୁଥିଲେ । କେଜ୍ରିୱାଲଙ୍କ ବିଜୟୀ ତାଲିକାରେ ଥିଲେ ଗୋପାଳ । ଏକ କାର୍ଯ୍ୟକ୍ରମରେ ଅରବିନ୍ଦ କେଜ୍ରିୱାଲ ଗୋପାଳ ଇଟାଲୀୟା ନିଶ୍ଚିତ ବିଜୟୀ ହେବେ ବୋଲି କହିଥିଲେ । ଏପରି କି ଲିଖିତ ଆକାରରେ ଇଟାଲୀୟାଙ୍କ ବିଜୟ ନିଶ୍ଚିତ ବୋଲି କହିଥିଲେ । କିନ୍ତୁ କତ୍ତରଗାମ ଆସନରୁ ଗୋପାଳ ମାତ୍ର ୫୫ ହଜାର ୮୭୮ ଭୋଟ ପାଇ ବୃହତ ପରାଜୟ ସ୍ବୀକାର କରିଛନ୍ତି । ଏହି ଆସନରୁ ବିଜେପି ପ୍ରାର୍ଥି ବିନୋଦ ଭାଇ ଅମରୀଶଭାଇ ମୋରାଡିୟା ୧ ଲକ୍ଷ ୨୦ ହଜାର ୫୦୫ ଭୋଟ ପାଇ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ୱାରିୟା କଳ୍ପେଶ ୨୬ ହଜାର ୮୪୦ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
ଅଳ୍ପେଶ କଠାରୀୟା
ଅଳ୍ପେଶ କଠାରୀୟା (Alpesh Kathiriya) ହେଉଛନ୍ତି ଜଣେ ପଟିଦାର ସମ୍ପ୍ରଦାୟର ଯୁବନେତା । ପଟିଦାର ଆନ୍ଦୋଳନ ବେଳେ ହାର୍ଦ୍ଦିକ ପଟେଲଙ୍କ ସହ ଆସି ଚର୍ଚ୍ଚାକୁ ଆସିଥିଲେ । ଅଳ୍ପେଶ ଜଣେ ପ୍ରଭାବଶାଳୀ ରାଜନେତା ହେବେ ବୋଲି ଆଶା କରିଥିଲେ ତାଙ୍କ ସମର୍ଥକ । ଏପରିକି ଅରବିନ୍ଦ କେଜ୍ରିୱାଲ ଅଳ୍ପେଶଙ୍କ ବିଜୟ ନେଇ ପୁରା ଆଶାବାଦୀ ଥିଲେ । ଅଳ୍ପେଶ ନିଜ ନିର୍ବାଚନ ମଣ୍ଡଳୀରେ ବେଶ ପ୍ରଭାବ ରଖିଥିଲେ । ଅଳ୍ପେଶଙ୍କ ବିଜୟ ନେଇ କେଜ୍ରିୱାଲ ଲିଖିତ ଆକାରରେ ଦେଇଥିଲେ । ହେଲେ ଆଜି ଫଳାଫଳ ଆସିବା ପରେ ଅଳ୍ପେଶ ମାତ୍ର ୫୦ ହଜାର ୩୭୨ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ବିଜେପି ପ୍ରାର୍ଥୀ କିଶୋର କନାଣୀ ୭୬ ହଜରା ୨୦୬ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏଠି ମଧ୍ୟ କେଜ୍ରିୱାଲଙ୍କ ଲିଖିତ ଦମ୍ଭୋକ୍ତି ଧକ୍କା ଖାଇଛି ।
ଇସୁଦାନ ଗଢବୀ
ସମ୍ବାଦିକତାରୁ ରାଜନୀତିକୁ ଆସିଥିବା ଇସୁଦାନ ଗଢବୀ (Isudan gadhvi) ଗୁଜୁରାଟ ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ଚେହେରା ଥିଲେ । କେଜ୍ରିୱାଲଙ୍କ ବିଜୟୀ ତାଳିକାର ପ୍ରଥମରେ ଥିଲେ ଗଢବୀ । ଆମ ଆଦମୀ ପାର୍ଟି ଆଶା ରଖିଥିଲା ଗଢବୀଙ୍କ ବିରାଟ ବିଜୟ ହେବ । ଗଢବୀଙ୍କ ବିଜୟ ନେଇ ମଧ୍ୟ କେଜ୍ରିୱାଲ ଲିଖିତ ଆକାରରେ ଦେଇଥିଲେ । ଇସୁଦାନ ଗଢବୀ ସମ୍ବାଦିକତା କ୍ଷେତ୍ରରୁ ଆସିଥିବାରୁ ତାଙ୍କୁ ନେଇ ଆପ ଜୋରଦାର ପ୍ରଚାର ପ୍ରସାର କରିଥିଲା । ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ଟେଲିଭିଜନ ତର୍କ ବିତର୍କରେ କେଜ୍ରିୱାଲ ଗଢବୀଙ୍କୁ ସାଥିରେ ନେଉଥିଲେ । ସେ ମୁଖ୍ୟମନ୍ତ୍ରୀ ହେଲେ କଣ କଣ ସବୁ କରିବେ ତାହାର ବଡ ପ୍ରଚାର କରାଇଥିଲେ । ଗଢବୀ ଗୁଜୁରାଟର ସବୁ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ସବୁ ସମସ୍ୟା ସମାଧାନ କରିଦେବେ ବୋଲି କେଜ୍ରିୱାଲ କହିବାରେ ଲାଗିଥିଲେ । ଆଜି ନିର୍ବାଚନ ଫଳାଫଳ ଆସିବା ପରେ ଗଢବୀ ପାର୍ଟିକୁ ବିଜୟୀ କରାଇବାତ ଦୂରର କଥା ନିଜେ ବିଜୟୀ ହୋଇପାରିନାହାଁନ୍ତି । ଖମ୍ଭାଲିୟା ଆସନରୁ ନିର୍ବାଚନ ଲଢିଥିବା ଗଢବୀ ୫୯ ହଜାର ୮୯ ଭୋଟ ପାଇଛନ୍ତି । ଏହି ଆସନରୁ ବିଜେପି ପ୍ରାର୍ଥୀ ମୁଲୁଭାଇ ହଦର୍ଶଭାଇ ୭୭ ହଜାର ୮୩୪ ଭୋଟ ପାଇ ବିଜୟୀ ହୋଇଛନ୍ତି ।