ଇଟାନଗର: 8 ବର୍ଷ ବିତିଯିବା ପରେ ବି ମିଳିପାରୁନି ଅରୁଣାଚଳ ପ୍ରଦେଶର ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ । ଅରୁଣାଚଳ ପ୍ରଦେଶର ବାସିନ୍ଦା ତାପୋର ପୁଲୋମଙ୍କ ନିଖୋଜ ମାମଲା ଆଜି ବି ରହସ୍ୟ ଘେରରେ ରହିଛି । ପରିବାର ଲୋକେ ସରକାରଙ୍କୁ ନିବେଦନ କରିବା ସତ୍ତ୍ବେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିପାରିନାହିଁ । ତାପୋର ପୁଲୋମଙ୍କ ବୋହୂ ଏନେଇ ସାଂସଦଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାପୋରଙ୍କ ସନ୍ଧାନ ମିଳିପାରିନାହିଁ ।
ସୂଚନା ଅନୁସାରେ, 2015 ମସିହା ସେପ୍ଟେମ୍ବର ମାସରେ ତାପୋର ନିଜ ବନ୍ଧୁ ତାକ୍ ୟର୍ସିଙ୍କ ସହିତ ସି ୟୋମି ଜିଲ୍ଲା ସ୍ଥିତ ତାଗି ବୋଗୁ ପାସ ନିକଟକୁ ଶିକାର ପାଇଁ ଯାଇଥିଲେ । ହେଲେ ସେପ୍ଟେମ୍ବର 21ତାରିଖ ଦିନ କେବଳ ତାକ୍ ୟାର୍ସି ସୁରକ୍ଷିତ ଭାବେ ଫେରିଥିବାବେଳେ ତାପୋ ନିଖୋଜ ହୋଇଯାଇଥିଲେ । ଭାରତ-ଚୀନ ସୀମାରୁ ତାଙ୍କୁ ଚୀନର କେତେକ ସୈନ୍ୟ ଅପହରଣ କରି ନେଇଥିବା ଅଭିଯୋଗ ଆଣିଥିଲେ ତାକ୍ ୟାର୍ସି ।
2022 ମସିହାରେ ପୂର୍ବ ଅରୁଣାଚଳ ପ୍ରଦେଶର ସାଂସଦ ତାପିର ଗାଓ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ । ଚୀନ୍ ପ୍ରତିପକ୍ଷଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଆଲୋଚନା କରିବାକୁ ଅନୁରୋଧ କରାଯାଇଥିଲା । ସେହି ସମୟରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କୁ ମଧ୍ୟ ଚିଠି ଲେଖି ଘଟଣା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ନିଖୋଜ ତାପୋର ପୁଲୋମଙ୍କ ପୁଅ ୱିକି ପୁଲୋମ। ଅନ୍ୟପଟେ ଏହି ଘଟଣାକୁ ନେଇ ସାଂସଦ ତାପିର ଗାଓ ଚଳିତ ବର୍ଷ ମାର୍ଚ୍ଚରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୂଚନା ଦେଇଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ତାପୋର ପୁଲୋମଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ ।
ଏହା ବି ପଢନ୍ତୁ...India-China clash: ଜମ୍ମୁରେ ଚୀନ ବିରୋଧୀ ପ୍ରଦର୍ଶନ, ଜାଳିଲେ ଜିନପିଙ୍ଗଙ୍କ ଫଟୋ
ତେବେ ପୂର୍ବରୁ ମଧ୍ୟ ଏହିଭଳି ଚୀନ ସୈନ୍ୟଙ୍କ ଦ୍ବାରା ସୀମାବର୍ତ୍ତୀ ଅଞ୍ଚଳର ବାସିନ୍ଦା ଅପହୃତ ହୋଇଥିବା ନଜିର ରହିଛି । ଚୀନର ପିପୁଲ୍ସ ଲିବରେସନ ଆର୍ମି ଗତ ବର୍ଷ ୧୭ ବର୍ଷ ବୟସ୍କ ମିରାମ ତାରୋନଙ୍କୁ ଉଠାଇ ନେଇଥିଲା । ଅପହରଣ ଖବର ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏନେଇ ଅରୁଣାଚଳ ପ୍ରଦେଶ ସାଂସଦଙ୍କ ସୂଚନା ପରେ ଭାରତୀୟ ସେନା ହସ୍ତକ୍ଷେପ କରିଥିଲା । ତାରୋନଙ୍କୁ ପିଏଲଏ ଅପହରଣ କରି ନେଇଥିବାବେଳେ ପରବର୍ତ୍ତୀ ସମୟରେ ଫେରାଇବାକୁ ପ୍ରତିଶୃତି ଦେଇଥିଲା । ତେବେ ଯୁବକଙ୍କୁ ଫେରାଇ ଆଣିବାକୁ ପ୍ରକ୍ରିୟା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ହୋଇଥିଲା । ଏହାପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ।