ଶ୍ରୀନଗର: ବିଶ୍ବର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚୀନରେ ଥିବା ଭାରତୀୟ ସେନାର ଏକାଧିକ କ୍ୟାମ୍ପରେ ଅଗ୍ନକାଣ୍ଡ ଘଟିଛି । ଏଥିରେ ଜଣେ ସେନାଧିକାରୀଙ୍କ ମୃତ୍ୟୁ ହେବା ସହ 6 ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଲଦାଖର ସିଆଚୀନ ଗ୍ଲେସିୟର କ୍ଷେତ୍ରରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଇଛି ସେନା । ମୃତ ସେନାଧିକାରୀଙ୍କ ପରିଚୟ ମଧ୍ୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ସାଢେ 3 ଟାରେ ଏହି ଅଗ୍ନିକାଣ୍ଡ ଘଟିଛି । ଏକାଧିକ କ୍ୟାମ୍ପର ଟେଣ୍ଟ ନିଆଁରେ ଜଳିଯାଇଛି । ଏଥିରେ ଜଣେ ସେନାଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଉଦ୍ଧାର କରି ଚଣ୍ଡିଗଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ସଟସର୍କିଟ କାରଣରୁ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଥିବା ସେନା କହିଛି । 2011 ମସିହାରେ ସିଆଚୀନରେ ଭାରତୀୟ ସେନା କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଲେଫ୍ଟନାଣ୍ଟ ପାହ୍ୟାର 2 ସେନାଧିକାରୀଙ୍କ ମୃତ୍ୟୁ ହେବା ସହ 4 ଯବାନ ଗମ୍ଭୀର ଭାବେ ଆହତ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ:- ବାରମୁଲା-ରଜୌରୀରେ ଏନକାଉଣ୍ଟର: ୨ ଆତଙ୍କୀ ନିପାତ
ବିଶ୍ବର ବୃହତ୍ତମ ଗ୍ଲେସିୟର ଖଣ୍ଡ ମଧ୍ୟରେ ଅନ୍ୟତମ ‘ସିଆଚୀନ’ ଗ୍ଲେସିୟର । ପ୍ରାୟ 71 କି.ମି ପରିମିତ ଅଞ୍ଚଳ ବିଶିଷ୍ଟ ଏହି ବିଶାଳ ଗ୍ଲେସିୟର ଖଣ୍ଡ । ଏହା ଭାରତ, ପାକିସ୍ତାନ ଓ ଚୀନ ସୀମାକୁ ଲାଗି ରହିଥିବାରୁ ଭାରତ ପାଇଁ ସାମାରିକ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ । ଏହା 3 ଦେଶର ଅନ୍ତର୍ଜାତୀୟ ସୀମାକୁ ସ୍ପର୍ଶ କରୁଥିବା ବିଶ୍ବର ଉଚ୍ଚତମ ଓ ଭୌଗଳିକ ଦୃଷ୍ଟିରୁ ବେଶ ଆହ୍ବାନପୂର୍ଣ୍ଣ ଯୁଦ୍ଧକ୍ଷେତ୍ର ମଧ୍ୟ । ଏଠାରେ ବର୍ଷସାରା ତାପମାତ୍ରା ବିଯୁକ୍ତ ରହୁଥିବା ବେଳେ ପ୍ରବଳ ତୁଷାରପାତ ମଧ୍ଯ ଦେଖିବାକୁ ମିଳିଥାଏ ।
ବରଫ ଝଡ, ପ୍ରବଳ ତୁଷାରପାତ, ବିଯୁକ୍ତ ଡିଗ୍ରୀ ତାପମାତ୍ରା, ଅତି କମ ଦୃଶ୍ୟମାନତା ଓ ବାରମ୍ବାର ହିମସ୍ଖଳନ ମଧ୍ୟରେ ଭାରତୀୟ ସେନାର ଯବାନ ସେଠାରେ ନିୟୋଜିତ ରହିଛନ୍ତି । ଭାରତୀୟ ସେନାର ଏକାଧିକ କ୍ୟାମ୍ପରେ ସ୍ବତନ୍ତ୍ର ପ୍ରଶିକ୍ଷିତ ଯବାନମାନେ ଏହି ଅତି ପ୍ରତିକୂଳ ଓ ଆହ୍ବାନପୂର୍ଣ୍ଣ ଯୁଦ୍ଧ କ୍ଷେତ୍ରରେ ସୀମା ସୁରକ୍ଷାରେ ନିୟୋଜିତ ରହିଛନ୍ତି । ଗତ 37 ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ପ୍ରାୟ 8ଶହ ଯବାନଙ୍କର ଜୀବନ ଯାଇଥିବା ମଧ୍ୟ କୁହାଯାଏ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ