ଇମ୍ଫାଲ: ମଣିପୁରରେ ମେ’ ମାସ ଆରମ୍ଭରୁ ଜାରି ରହିଥିବା ହିଂସାରେ ରାଜ୍ୟର ବିଭିନ୍ନ ସ୍ଥାନର ମହିଳାମାନେ ବର୍ବରତା, ଯୌନ ଶୋଷଣ ଓ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏନେଇ ଗୋଟିଏ ପରେ ଗୋଟିଏ ଘଟଣା ଲୋକଲୋଚନକୁ ଆସିବାରେ ଲାଗିଛି । ଏବେ ମେ’ ମାସରେ ଆଉ ଏକ ଗଣଦୁଷ୍କର୍ମକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘ ପ୍ରାୟ 3 ମାସ ପରେ ସରକାରୀ ଆଶ୍ରୟସ୍ଥଳୀରେ ଶରଣ ନେଇଥିବା ଜଣେ ହିଂସା ପ୍ରଭାବିତ ମହିଳା ଏହି ଅଭିଯୋଗ କରିଛନ୍ତି ।
ଏହି ମାମଲାଟି ମଧ୍ୟ ହିଂସାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଚୁରାଚାନ୍ଦପୁର ଜିଲ୍ଲାରେ ଘଟିଛି । ହିଂସାରେ ପ୍ରଭାବିତ ହୋଇ ରିଲିଫ କ୍ୟାମ୍ପରେ ଥିବା ଜଣେ 37 ବର୍ଷୀୟା ବିବାହିତା ମହିଳା ଦଙ୍ଗାକାରୀଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ମେ’ 3 ତାରିଖରେ ତାଙ୍କ ଘର ଉପରେ ଦଙ୍ଗାକାରୀଙ୍କ ଏକ ଗୋଷ୍ଠୀ ଆକ୍ରମଣ କରି ନିଆଁ ଲଗାଇ ଦେଇଥଲେ । ସେମାନଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ସେ, ତାଙ୍କର ଦୁଇ ପୁଅ, ଭାଉଜ ଓ ତାଙ୍କର ଝିଅ ଜୀବନ ରକ୍ଷା ପାଇଁ ଘର ଛାଡ଼ି ଦୌଡି ପଳାଇଥିଲେ । ହେଲେ ସେମାନେ ସମସ୍ତେ ଆତ୍ମରକ୍ଷା କରିବାରେ ସଫଳ ହୋଇଥିବା ବେଳେ ମହିଳାଜଣଙ୍କ ଦଙ୍ଗାକାରୀଙ୍କ ସମ୍ମୁଖରେ ପଡିଯିବାରୁ ସେମାନେ ତାଙ୍କୁ କାବୁ କରିନେଇଥିଲେ । ସେମାନେ ଜଙ୍ଗଲରେ ଏହି ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ସଜ୍ଞାହୀନ ଅବସ୍ଥାରେ ଫିଙ୍ଗିଦେଇ ଚାଲିଯାଇଥିଲା । ପରେ ସେ କୌଣସି ପ୍ରକାର ରିଲିଫ୍ କ୍ୟାମ୍ପରେ ପହଞ୍ଚିଥିଲେ ।
ତେବେ ଅନ୍ୟ ଏକ ସାଙ୍ଘାତିକ ଅଭିଯୋଗ ମଧ୍ୟ କରିଛନ୍ତି ମହିଳା । ସେ ଏପରି ବର୍ବରତାର ଶିକାର ହୋଇଥିଲେ ସୁଦ୍ଧା ସାମାଜିକ ବାସନ୍ଦରୁ ବର୍ତ୍ତିବା ପାଇଁ କାହା ନିକଟରେ ପ୍ରକାଶ କରିନଥିଲେ । ଏପରିକି ପୋଲିସରେ ମଧ୍ୟ ଅଭିଯୋଗ ନକରି ସେ ଶରଣାର୍ଥୀ କ୍ୟାମ୍ପ୍ରେ ରହିଆସୁଥିଲେ । ଦଙ୍ଗାକାରୀମାନେ ତାଙ୍କ ଘର ଜାଳିଦେଇଥିବା ବେଳେ ସେ ଆଉ ଘରକୁ ଫେରିନାହାନ୍ତି । ଅଭିଯୋଗ ପରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା 376-D, 354, 120B ଏବଂ 34 ଅନୁଯାୟୀ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମଣିପୁରରେ ଏବେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ମହିଳାଙ୍କ ପ୍ରତି ହୋଇଥିବା ବର୍ବରତା ଓ ଯୌନ ନିର୍ଯାତନା ମାମଲାର ତଦନ୍ତ ତ୍ବରିତ କରିବା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଜିଲ୍ଲାସ୍ତରୀୟ ଏସଆଇଟି ଏହାର ତଦନ୍ତ ଆରମ୍ଭ କରିବାକୁ ଯାଉଛି । ମହିଳାଙ୍କୁ ଏପରି ବର୍ବରତାର ଶିକାର ହୋଇଥିଲେ ବିନା ସଙ୍କୋଚନରେ ଅଭିଯୋଗ କରିବା ପାଇଁ ପୋଲିସ ପରାମର୍ଶ ଦେବା ପରେ ଅଭିଯୋଗ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ