ବେଙ୍ଗାଲୁରୁ: ଅସ୍ତ୍ରୋପଚାର କରି ମୋଟାପଣ କରିବାର ପ୍ରୟାସ ଅତି ବିପଦପୂର୍ଣ୍ଣ ସାବ୍ୟସ୍ତ ହେବାରେ ଲାଗିଛି । ଗତ କିଛି ଦିନ ତଳେ ଏପରି କିଛି ଅପରେସନ କରିବା ପରେ କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କ ଅକାଳ ମୃତ୍ୟୁ ସମଗ୍ର ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା । ବେଙ୍ଗାଲୁରୁ ସହରରେ ପୁଣି ଏହିପରି ଏକ ଖବର ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କ ମୋଟାପଣ କମ କରିବା ପାଇଁ ଅସ୍ତ୍ରୋପଚାର କରିବା ପରେ ସ୍ବାସ୍ଥ୍ୟ ସମ୍ପର୍କିତ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।
ଦିଲ୍ଲୀର ଜଣେ ଯୁବତୀ ବେଙ୍ଗାଲୁରୁରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ମୋଟପଣ ହ୍ରାସ କରିବା ପାଇଁ ଅସ୍ତ୍ରୋପଚାର (fat surgery) କରିଥିଲେ । ତେବେ ଏବେ ଅପରେସନର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଯୁବତୀଙ୍କ ଶରୀରରେ ଜଟିଳତା ବଢିବାରେ ଲାଗିଛି । ତାଙ୍କ ଶରୀରରେ ଅସହ୍ୟ ଯନ୍ତ୍ରଣା ହେଉଥିବା ସମ୍ପୃକ୍ତ ଯୁବତୀଜଣଙ୍କ ଏକ ଭିଡିଓ ଜାରି କରି ପ୍ରକାଶ କରିଛନ୍ତି ।
ତେବେ ସେ ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ପରାମର୍ଶ ଅନୁସାରେ କରିଥିଲେ । ଏବଂ ତ୍ରୁଟି କାରଣରୁ ଏପରି ହୋଇଥିବା ଦର୍ଶାଇ ସେ ଉକ୍ତ ହସ୍ପିଟାଲ ବିରୋଧରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆରେ ମଧ୍ୟ ଅଭିଯୋଗ କରିବେ ବୋଲି ମଧ୍ୟ ଯୁବତୀ ଜଣଙ୍କ ଚେତାବନୀ ଦେଇଛନ୍ତି । ନିକଟରେ କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କ ଫ୍ୟାଟ ସର୍ଜରୀ ପରବର୍ତ୍ତୀ ଜଟିଳତା କାରଣରୁ ଅକାଳ ମୃତ୍ୟୁ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ