ହାଇଦ୍ରାବାଦ: ପତ୍ନୀ ବାପଘରକୁ ଚାଲିଯିବାରୁ ଉତକ୍ଷିପ୍ତ ହୋଇ ସ୍ବାମୀ ଭିଆଇଲା ନାରକୀୟ କାଣ୍ଡ । ନିଜ ଗୁପ୍ତାଙ୍ଗ କାଟି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ସ୍ବାମୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ମାଧେପୁର ଅଞ୍ଚଳରେ । ସହରର ରଜନୀ ନଗର 17 ନମ୍ବର ୱାର୍ଡର ମୁରଲିଗଞ୍ଜ ଏରିଆରେ ରହୁଥିବା ଜଣେ ସ୍ଥାନୀୟ ଯୁବକ ନିଜ ପତ୍ନୀ ବାପଘରକୁ ଚାଲିଯିବାକୁ ନେଇ କ୍ରୋଧରେ ହିତାହିତ ଜ୍ଞାନ ଭୁଲି ଏପରି କାଣ୍ଡ କରିଛନ୍ତି । ପରିବାର ସଦସ୍ୟ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ରାଜଧାନୀ ପାଟନା ସ୍ଥାନାନ୍ତରିତ କରାଯାଇଥିଲା । ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।
ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ଯୁବକଜଣଙ୍କ ପଞ୍ଜାବରେ ରହି କାମ କରୁଥିବା ବେଳେ ଗତ କିଛି ମାସ ହେବ ଘରକୁ ଆସିଥିଲେ । ସେ ଗତ କିଛି ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ତାଙ୍କର 3ଟି ଝିିଅ ଓ ଜଣେ ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି । ପରିବାର ଠିକ୍ ଭାବେ ଚାଲିଥିଲା । ତେବେ ସେ ଘରେ ନଥିବା ବେଳେ ତାଙ୍କୁ ନଜଣାଇ ତାଙ୍କ ପତ୍ନୀ ବାପଘରକୁ ଚାଲିଯାଇଥିଲେ । ଘରେ ପହଞ୍ଚି ପତ୍ନୀଙ୍କୁ ଖୋଜି ନପାଇବା ଓ ଘର ଲୋକଙ୍କୁ ଠାରୁ ପତ୍ନୀ ଏପରି କରିଥିବା ଜାଣିବା ପରେ ଯୁବକଜଣଙ୍କ କ୍ରୋଧିତ ହୋଇ ଉଠିଥିଲେ ।
ରାତିରେ ସମସ୍ତେ ଭୋଜନ ସାରି ଶୋଇବା ପରେ, ଘରେ ଥିବା ଘାସ କାଟିବା ପାଇଁ ବ୍ୟବହୃତ ତୀକ୍ଷ୍ଣ ଛୁରୀରେ ଯୁବକଜଣଙ୍କ ନିଜର ଯୌନାଙ୍ଗ କାଟି ଦେଇଥିଲେ । ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ରାଜଧାନୀ ପାଟନାର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାକୁ ପଡିଥିଲା । ତେବେ ପରିବାର ସଦସ୍ୟଙ୍କ ଠାରୁ ଅନ୍ୟ ଏକ ହାସ୍ୟାସ୍ପଦ ତଥା ଚକିତ କରିବା ପରି ତଥ୍ୟ ମଧ୍ୟ ସୂଚନା ମିଳିଛି । ବ୍ୟକ୍ତିଜଣଙ୍କ ନିଜ ଗୁପ୍ତାଙ୍ଗ କାଟି କୂଳଦେବତାଙ୍କୁ ଉତ୍ସର୍ଗ କରିବାକୁ ଚାହିଁଥିବା ମଧ୍ୟ କହିଛନ୍ତି । କ୍ରୋଧରେ ନିୟନ୍ତ୍ରଣ ହରାଇ ଯୁବକଜଣଙ୍କ ଏପରି କରିଛନ୍ତି ବୋଲି ପରିବାର ଲୋକେ କହୁଛନ୍ତି । ଅନ୍ୟପଟେ ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଏକ ସାଧାରଣ କଥା ହୋଇଥିବା ବେଳେ ଜଣେ ଯୁବକଙ୍କର ଏପରି ଅଭାବନୀୟ କାଣ୍ଡକୁ ପାଗଳାମୀ ବୋଲି ମଧ୍ୟ କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ