ଭୁବନେଶ୍ବର: ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକ ମାନଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି କଳାଭୂମିରେ ଆଜି(ସୋମବାର) ଏକ ଖୋଲା ପାଠାଗାର ଉଦ୍ଘାଟିତ ହୋଇଛି । ଏହି ପାଠାଗାରକୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି ।
ଓଏସ୍ଆର୍ଟିସି ବସର ବାହ୍ୟ ଭାଗରେ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି । ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟର ମିଳିତ ସହଯୋଗରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମର୍ଥନରେ ବକୁଳ ଫାଉଣ୍ଡେସନ୍ ଦ୍ୱାରା ଏହି ବସ୍ ପାଠାଗାର ପ୍ରତିଷ୍ଠା କରାଯାଇଛି । ଏହି ବସ୍ ପାଠାଗାରରେ ୪୦୦୦ରୁ ଉର୍ଦ୍ଧ୍ବ ପୁସ୍ତକ ରହିଛି । ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ବୟସର ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏଠାରେ ଇଂରାଜୀ ଓ ଓଡ଼ିଆ ପୁସ୍ତକ ରହିଛି । ଏହି ପାଠାଗାର ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ସପ୍ତାହରେ ସୋମବାର ବ୍ୟତୀତ ଅନ୍ୟ ଛଅଦିନ ଖୋଲା ରହିବ । ନିୟମିତ ଭାବରେ ଗଳ୍ପ, କଳା ଓ ହସ୍ତକଳା ଅଧିବେଶନ ରହିବ ।
ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ କଳାଭୂମି ପରିସରରେ ବହୁପ୍ରତୀକ୍ଷିତ ସୋଲାର ପ୍ୟାନେଲ ପାୱାର ଜେନେରେସନ୍ ସିଷ୍ଟମ ସ୍ଥାପିତ ହେବାକୁ ଯାଉଛି । କଳାଭୂମିର ସଂଗ୍ରହାଳୟ ପ୍ରତ୍ୟହ ସକାଳ ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଛି । ଜୁନ ୧୪ ଓ ୧୫ ତାରିଖ ଦିନ ରଜ ମହୋତ୍ସବ ଅବସରରେ କଳାଭୂମିଠାରେ କଳା-କାରିଗରୀର ପ୍ରତ୍ୟକ୍ଷ ପ୍ରଦର୍ଶନ, କର୍ମଶାଳା, ସଂଗୀତ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପାଠାଗାର ଉଦ୍ଘାଟନ ଉତ୍ସବରେ ରାଜ୍ୟସଭା ସାଂସଦଙ୍କ ସହ ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଉପେନ୍ଦ୍ର ତ୍ରିପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭା ଶର୍ମା, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ସିଡାକ୍ର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ବକୁଳ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର