ମୁମ୍ବାଇ: ସହଯାତ୍ରୀଙ୍କ ପାଦରେ ଚଢିଯିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ପଡ଼ିଲା ମହଙ୍ଗା । ଏହା ଏତେ ମହଙ୍ଗା ପଡ଼ିଛି ଯେ ଶେଷରେ ସେ ମୃତ୍ୟୁବରଣ କରିଛନ୍ତି । ଗୁରୁବାର ଅପରାହ୍ନରେ ଟ୍ରେନରେ ଚଢିବା ସମୟରେ ବ୍ୟକ୍ତି ଜଣକ ଭୁଲବଶତଃ ଅଭିଯୁକ୍ତର ପିତାଙ୍କ ପାଦରେ ଚଢି ଯାଇଥିଲେ । ଏଥିରେ ରାଗି ଯାଇ ଅଭିଯୁକ୍ତ ଜଣକ ଉକ୍ତ ବୟସ୍କ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ । ଫଳରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କଲ୍ୟାଣ-ଟିଟୱାଲା ଲୋକାଲ ଟ୍ରେନରେ ଘଟିଛି ଅଭାବନୀୟ ଘଟଣା । ମୃତ ବ୍ୟକ୍ତିଙ୍କ ପରିବାରର ଅଭିଯୋଗ ଅନୁସାରେ ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ।
ମୃତ ବ୍ୟକ୍ତିଙ୍କ ନାମ ବାବନ ହନ୍ଦେ ଦେଶମୁଖ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଭସିନ୍ଦ ଅଞ୍ଚଳର ସୁନୀଲ ଯାଦବ(୫୦) ବୋଲି ଜଣାପଡ଼ିଛି । ମୃତ ଦେଶମୁଖ ଗୁରୁବାର ସକାଳେ ରାସନ ଅଫିସକୁ ଆସିଥିଲେ । ଏଥିଲାଗି ସେ ଅମ୍ବିଭାଲି ଯିବା ଲାଗି କଲ୍ୟାଣ ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । ଅଭିଯୁକ୍ତ ଯାଦବ ନିଜ ପିତାଙ୍କ ସହିତ ଲୋକାଲ ଲଗେଜ କମ୍ପାଟମେଣ୍ଟରେ ଯାତ୍ରା କରୁଥିଲେ । ଯେତେବେଳେ ଷ୍ଟେସନ୍ରେ ଟ୍ରେନ୍ ପହଞ୍ଚିଥିଲା ସେତେବେଳେ ଦେଶମୁଖ ଟ୍ରେନ୍ରେ ଚଢିଥିଲେ । ଏହି ସମୟରେ ସେ ଭୁଲବଶତଃ ଯାଦବଙ୍କ ପାଦ ଉପରେ ଚଢି ଯାଇଥିଲେ ।
ଏହା ବି ପଢନ୍ତୁ- AP Horror: ୧୧ବର୍ଷ ଧରି ବନ୍ଦ କୋଠରୀରେ ମହିଳା, ସ୍ବାମୀ ରଖିଥିଲେ ବନ୍ଦୀ
ଏହାକୁ ନେଇ ଦେଶମୁଖ ଓ ଯାଦବଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ଯାଦବ ଦେଶମୁଖଙ୍କୁ ମାଡ଼ ମାରିଥିଲେ । ଏହାପରେ ସେ ଦେଶମୁଖଙ୍କ ମୁଣ୍ଡକୁ ଆଘାତ ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦେଶମୁଖ ଯେତେବେଳେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ ସେତେବେଳେ ଲୋକମାନେ ଯାଦବଙ୍କୁ କାବୁ କରିବା ସହିତ ପୋଲିସ ନିକଟରେ ଜିମା ଦେଇଥିଲେ । ଏହାପରେ ପୋଲିସ ଦେଶମୁଖଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣାରେ ପୋଲିସ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆଇପିସି ଧାରା ୩୦୨ ଅନୁଯାୟୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଏନେଇ ମୃତ ଦେଶମୁଖଙ୍କ ପିତା ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୁକ୍ତକୁ କଲ୍ୟାଣ ରେଲୱେ କୋର୍ଟରେ ଶୁକ୍ରବାର ହାଜର କରାଯାଇଥିବା ରେଲୱେ ପୋଲିସ ସୂଚନା ଦେଇଛି ।