କୋଲକାତା: ଆଜି ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ବସିବ ବୈଠକ(Eastern Zonal Council meeting) । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଶନିବାର ପଶ୍ଚିମବଙ୍ଗ କୋଲକାତା ଠାରେ ଏହି ବୈଠକ ବସିବାକୁ ଯାଉଛି(Amit Shah to Chair Eastern Zonal Council Meeting in Kolkata) । ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଓଡିଶା, ଝାରଖଣ୍ଡ, ବିହାର, ସିକିମ ସମେତ ପୂର୍ବାଞ୍ଚଳ ରାଜ୍ୟର ପ୍ରତିନିଧୀମାନେ ଯୋଗଦେବେ । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦାନ କରିବେ ନାହିଁ ବୋଲି ସୂଚନା ରହିଛି । ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓଡିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ । ପୂର୍ବରୁ ଏହି ବୈଠକ ନଭେମ୍ବର ୫ ତାରିଖରେ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା । ତେବେ କୌଣସି କାରଣ ପାଇଁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା ।
କୋଇଲା ରୟାଲଟି ସଂଶୋଧନ, ଧାନମଣ୍ଡି ସମସ୍ୟା, ଚାଉଳ ଉଠାଣ, କେନ୍ଦ୍ରୀୟ ଅନୁଦାନ ହ୍ରାସ, ରେଳ ପ୍ରକଳ୍ପ, ଟେଲି ଯୋଗାଯୋଗ, ନକ୍ସଲ ସମସ୍ୟା, ସୀମା ବିବାଦ ପ୍ରସଙ୍ଗକୁ ନେଇ ବୈଠକରେ ଓଡିଶା ତାର ନ୍ୟାଯ୍ୟ ଦାବି ଦୋହରାଇବ ବୋଲି ସୂଚନା ରହିଛି । ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ବୈଠକରେ ସାମିଲ ହେବେ । ତେବେ ଏନେଇ ରାଜ୍ୟ ସଚିବାଳୟ ଏବଂ ବିଜେପି କାର୍ଯ୍ୟାଳୟରେ ସୁରଭା ବ୍ୟବସ୍ଥା କଡାକଡି କରାଯାଇଥିବା ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆଜିଠୁ ସୁପ୍ରିମକୋର୍ଟର ଶୀତ ଛୁଟି, ଉପଲବ୍ଧ ହେବ ନାହିଁ କୌଣସି ଖଣ୍ଡପୀଠ
ପ୍ରକାଶଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ଦଳର ବଙ୍ଗଳା ୟୁନିଟ ସଦସ୍ୟଙ୍କୁ ନେଇ ଏକ ବୈଠକ କରିଥିଲେ । ଏଥିରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଲୋଚନା କରିଥିଲେ । ଏହାସହ ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ଶିବିର ଉପରେ ସମୀକ୍ଷା କରାଯାଇଥିବା ନେଇ ବିଜେପିର ଜଣେ ନେତା ସୂଚନା ଦେଇଛନ୍ତି ।
ତେବେ ଏନେଇ ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ତଥା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି," ପଶ୍ଚିମବଙ୍ଗରେ ସାମ୍ପ୍ରତିକ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆମେ ଗୃହମନ୍ତ୍ରୀଙ୍କୁ ଅବଗତ କରିଛୁ । ପଞ୍ଚାୟତ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ କୁହାଯାଇଛି । ସେ ଦଳର କର୍ମୀଙ୍କୁ ଯଥାସମ୍ଭବ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଅନୁରୋଧ କରିଛନ୍ତି ।"
୩୦ ମିନିଟର ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଏବଂ ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ