ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ଜୋର ଧରିବାରେ ଲାଗିଲାଣି । ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବେ ଗୁଜୁରାଟ ଗସ୍ତରେ ରହିଛନ୍ତି । ରାଜ୍ୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିକୁ ଚଳିତ ନିର୍ବାଚନରେ କଡା ଟକ୍କର ଦେବା ପାଇଁ ସେ ପ୍ରସ୍ତୁତି ବ୍ୟାପକ କରିଥିବା ବେଳେ ବିଜେପି ମଧ୍ୟ ତାଙ୍କୁ ଟାର୍ଗେଟ କରିବା ପାଇଁ ଭୁଲିନାହିଁ । ଆଜି ଦଳର ହେଭିଓ୍ବେଟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେଜ୍ରଓ୍ବାଲଙ୍କୁ କଟାକ୍ଷ ଭରା ସମାଲୋଚନା କରିଛନ୍ତି । ଶାହ କହିଛନ୍ତି ସ୍ବପ୍ନର ବ୍ୟାପାର କରିବାକୁ ଆସିଥିବା ବ୍ୟକ୍ତି ଗୁଜୁରାଟରେ ସଫଳ ହେବେ ନାହିଁ ।
ଆଜି (ମଙ୍ଗଳବାର) ନିଜ ସଂସଦୀୟ କ୍ଷେତ୍ର ଗାନ୍ଧୀନଗରରେ କିଛି ପ୍ରକଳ୍ପର ଉଦଘାଟନ କରିବା ଅବସରରେ ସାଧାରଣ ସଭାକୁ ସମ୍ବୋଧିତ କରି ଶାହ କହିଥିଲେ, ଯେଉଁମାନେ ସ୍ବପ୍ନର ବ୍ୟାପାର କରିବା ପାଇଁ ଚାହୁଁଛନ୍ତି ସେ ଗୁଜୁରାଟରେ ସଫଳ ହୋଇପାରିବେ ନାହିିଁ । ଗୁଜୁରାଟୀମାନେ ସେମାନଙ୍କୁ ସଠିକ ଭାବରେ ଚିହ୍ନିବା ସହିତ କାର୍ଯ୍ୟକଳାପକୁ ମଧ୍ୟ ଜାଣି ସାରିଛନ୍ତି । ଚଳିତ ନର୍ବାଚନରେ ରାଜ୍ୟରେ ନାଁ କେବଳ ବିଜେପି କ୍ଷମତା ବଜାୟ ରଖିବ ବରଂ ପୂର୍ବାପେକ୍ଷା ପ୍ରଚଣ୍ଡ ବହୁମତ ମଧ୍ୟ ହାସଲ କରିବାକୁ ଯାଉଥିବା ଶାହ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।
ଅନ୍ୟପଟେ ଗୁଜୁରାଟ ଗସ୍ତରେ ଥିବା ଆପ ମୁଖ୍ୟ କେଜ୍ରିଓ୍ବାଲଙ୍କୁ (Amit Shah target Arvind Kejriwal) ଯେତେବେଳେ ଶାହଙ୍କ ବୟାନ ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ, ସେ ମଧ୍ୟ ଶାହଙ୍କ ବୟାନକୁ ନେଇ ବିଜେପିକୁ ପାଲଟା କଟାକ୍ଷ କରିଥିଲେ । କେଜ୍ରିଓ୍ବାଲ କହିଥିଲେ, ଶାହା ସମ୍ପୂର୍ଣ୍ଣ ଠିକ କହିଛନ୍ତି । ଯେଉଁମାନେ ସ୍ୱପ୍ନ ଦେଖାନ୍ତି ଏବଂ କୁହନ୍ତି ଯେ ସେମାନେ ଦେଶବାସୀଙ୍କ ବ୍ୟାଙ୍କ ଆକାଉଣ୍ଟରେ 15 ଲକ୍ଷ ଜମା କରିବେ, ସେମାନଙ୍କୁ ଆଦୌ ବିଶ୍ବାସକୁ ନେବା କଥା ନୁହେଁ । ଯିଏ ଦିଲ୍ଲୀ ଓ ପଞ୍ଜାବରେ ବିଜୁଳି ମୁକ୍ତ କରିବା ପରେ ଏପରି ପ୍ରତିଶୃତି ନେଇ ଆପଣଙ୍କ ପାଖକୁ ଆସିଛି, ତାକୁ ହିଁ ରାଜ୍ୟବାସୀ ଭରସା କରନ୍ତୁ ବୋଲି କେଜ୍ରିଓ୍ବାଲ କହିଥିଲେ ।
ଆଜି କେଜ୍ରିଓ୍ବାଲ କଂଗ୍ରେସ ଉପରେ ବର୍ଷିଥିଲେ ଓ କହିଥିଲେ ଗୁଜରାଟରେ କଂଗ୍ରେସ ସମାପ୍ତ ହୋଇ ସାରିଛି । ଦଳର କୌଣସି ଅସ୍ଥିତ୍ବ ଏଠାରେ ଦୃଶ୍ୟମାନ ହେଉନାହିଁ । ଏହି ନିର୍ବାଚନରେ ବିଜେପି ଓ ଆପ ମଧ୍ୟରେ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଛି । ତାଙ୍କ ଦଳ ଆମ ଆଦମୀ ପାର୍ଟି ଏବେ ଭାରତୀୟ ଜନତା ପାର୍ଟିର ଏକମାତ୍ର ବିକଳ୍ପ ଭାବେ ଗୁଜୁରାଟରେ ଉଭା ହୋଇଛି । କଂଗ୍ରେସକୁ ଭୋଟ ଦେଲେ ତାହା ବ୍ୟର୍ଥ ଯିବ । ନିର୍ବାଚନ ପାଖାଉଥିବା ବେଳେ ଆପ ତାର ପୂର୍ବ ରଣନୀତି ମୁତାବକ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛି । ଦଳ କ୍ଷମତାକୁ ଆସିଲେ ଦିଲ୍ଲୀ ଓ ପଞ୍ଜାବ ପରି ଗୁଜୁରାଟରେ ମଧ୍ୟ ବଜୁଳି ଦେୟମୁକ୍ତ କରିବା ସହ ଅନ୍ୟ କିଛି ପ୍ରତିଶୃତି ମଧ୍ୟ ଘୋଷଣା କରି ସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ