ସିଲଙ୍ଗ: ୨ ଦିନିଆ ଉତ୍ତର-ପୂର୍ବ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ଆଜି (ଶନିବାର) ମେଘାଳୟରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ମେଘାଳୟର ମୋଇୟଙ୍ଗରେ ଏକ ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ ଟର୍ମିନାଲକୁ ଉଦ୍ଘାଟନ କରିଛନ୍ତି ଶାହ । ଏହି କାର୍ଯ୍ୟକ୍ରମ ଅବସରରେ ଜନସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ,ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ଯୋଗାଯୋଗ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବା ସହ ଉତ୍ତର-ପୂର୍ବକୁ ଏକ ଇକୋନୋମିକ ଜୋନରେ ପରିଣତ କରିବାରେ ସହାୟକ ହେବ।
ଶାହା କହିଛନ୍ତି ବିଜେପି ଉତ୍ତର ପୂର୍ବାଞ୍ଚଳ ବିକାଶ ପାଇଁ ୨୦୧୪ ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା । ସେହିପରି ରେଳ ଓ ଆକାଶ ପଥକୁ ଛାଡିଲେ ସଡକ ପଥର ବିକାଶ ହେବା ମଧ୍ୟ ନିହାତି ଆବଶ୍ୟକ । ଯୋଗାଯୋଗରେ ଉନ୍ନତିକରଣ ହିଁ ପ୍ରଗତିର ଏକ ମୁଖ୍ୟ ଆଧାର । ସେହି ଦିଗରେ କାର୍ଯ୍ୟ ଜାରି ରହିଛି । ୨୦୨୨ ସୁଦ୍ଧା ଯୋଗାଯୋଗର ସବୁ ମାଧ୍ୟମକୁ ସୁଦୃଢ କରାଯିବା ଦିଗରେ କାର୍ଯ୍ୟ ଚାଲିଥିବା ମଧ୍ୟ ଗୃହମନ୍ତ୍ରୀ ଶାହ କହିଛନ୍ତି ।
ଭାରତ ସରକାର ଓ ମେଘାଳୟ ସରକାରଙ୍କ ମିଳିତ ସହଭାଗିତାରେ ନିର୍ମିତ ଏହି ବସଷ୍ଟାଣ୍ଡ ପ୍ରାୟ ୫୦ କୋଟି ଟଙ୍କା ଅର୍ଥ ଅଟକଳରେ ନିର୍ମାଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗାମା, କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।
ସେହିପରି ଅନ୍ୟ ଏକ କର୍ଯ୍ୟକ୍ରମରେ ଉତ୍ତର ପୂର୍ବ ମହାକାଶ ଆପ୍ଲିକେଶନ ସେଣ୍ଟର (NESAC) ଓ ଏକ ଏକ୍ସିବିସନ ହଲମଧ୍ୟ ଉଦ୍ଘାଟନ କରିଛନ୍ତି ଶାହ । ଏହି କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳରେ ଉନ୍ନତ ସୂଚନା ଓ ଜ୍ଞାନକୌଶଳ ଯୋଗାଇ ପାରିବ । ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଫଳରେ ଉତ୍ତର ପୂର୍ବାଞ୍ଚଳର ଅଧିବାସୀଙ୍କ ଜୀବନରେ ସୁଧାର ଆଣିବ ବୋଲି କହିଛନ୍ତି ଅମିତ ଶାହ । ଏହି କାର୍ଯ୍ୟକ୍ରମରେ ଇସ୍ରୋ ମୁଖ୍ୟ ଡ. କେ ଶିବନ ମଧ୍ୟ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ