ନୂଆଦିଲ୍ଲୀ: ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ 8 ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା ବୈଠକରେ ଶାହ ଏହି ଘୋଷଣା କରିଛନ୍ତି ।
ଏହି ଯୋଜନାରେ ମୋଟ 8 ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ସେଥିମଧ୍ୟରୁ 5 ହଜାର କୋଟି ବ୍ୟୟରେ ରାଜ୍ୟଗୁଡିକର ଅଗ୍ନିଶମ ବିଭାଗରେ ଭିତ୍ତିଭୂମି ସୁଦୃଢ କରାଯିବ । ସେହିପରି ଅଢେଇ ହଜାର କୋଟି ଟଙ୍କା 7ଟି ମହାନଗରରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ନିର୍ମାଣ କରିବାରେ ଖର୍ଚ୍ଚ ହେବ । ଏହି ମହାନଗର ତଲିକାରେ ମୁମ୍ବାଇ, ଚେନ୍ନାଇ, କୋଲକାତା ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେ ଓ ଅହମ୍ମଦାବାଦ ରହିଛି । ଏହି ମହାନଗରଗୁଡିକରେ ବର୍ଷା ଦିନେ ସହରି ବନ୍ୟା ସୃଷ୍ଟି ହେଉଛି । ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଡ୍ରେନଜ ସ୍ବରେଜ ବ୍ୟବସ୍ଥାରେ ପରିବର୍ତ୍ତନ ନଆସିବା ଫଳରେ ବର୍ଷା ଦିନେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଏହି ଅର୍ଥରାଶି ଖର୍ଚ୍ଚ ହେବ । ସେହିପରି 825 କୋଟି 17 ଟି ଭୂସ୍ଖଳନ ପ୍ରବଣ ରାଜ୍ୟର ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବା ନେଇ ସୂଚନା ମିଳିଛି ।
ଗୃହମନ୍ତ୍ରୀ ଶାହ କହିଛନ୍ତି, ଗତ ନଅ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିପର୍ଯୟ ପରିଚାଳନା କ୍ଷେତ୍ରରେ ବେଶ ଭଲ ସଫଳତା ଅର୍ଜନ କରିଛନ୍ତି । ହେଲେ ବର୍ତ୍ତମାନ ସମୟରେ ବିପର୍ଯ୍ୟୟର ରୂପ ଓ ଏହାର ତୀବ୍ରତା ମଧ୍ୟ ବଦଳିବାରେ ଲାଗିଛି । ତେଣୁ ଏହି ଅନୁସାରେ ପ୍ରସ୍ତୁତି ମଧ୍ୟ ବଦଳାଇବାକୁ ପଡିବ । ସେହିପରି ଯେଉଁ ରାଜ୍ୟରେ ଆଣିବିକ ଶକ୍ତି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରାଯାଇଛି, ସେମାନଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ସ୍ଥିତି ସମୟରେ କଡାକଡି ପ୍ରୋଟୋକଲ ପାଳନ କରିବାକୁ ହେବ ବୋଲି ମଧ୍ୟ ଗୃହମନ୍ତ୍ରୀ ଶାହ କହିଛନ୍ତି ।
ଭାରତର ଦୁଇପାର୍ଶ୍ବରେ ସମୁଦ୍ର ଥିବା କାରଣରୁ ପ୍ରତିବର୍ଷ ସାମୁଦ୍ରିକ ବାତ୍ୟା ଉପକୂଳ ରାଜ୍ୟଗୁଡିକରେ ବ୍ୟାପକ କ୍ଷୟକ୍ଷତି ଘଟାଉଛି । ବିଶେଷ କରି ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ଗୋଆ, କେରଳ, କର୍ଣ୍ଣାଟକ,ମହାରାଷ୍ଟ୍ର, ଗୁଜୁରାଟ ପରି ତଟୀୟ ରାଜ୍ୟଗୁଡିକ ସାମୁଦ୍ରିକ ବାତ୍ୟାରେ ପ୍ରଭାବିତ ହେଉଛନ୍ତି । ସେହିପରି ଉତ୍ତର ଭାରତ ତଥା ହିମାଳୟ ପର୍ବତର ପାଦ ଦେଶରେ ଥିବା ରାଜ୍ୟଗୁଡିକ ମଧ୍ୟ ଭୁସ୍ଖଳନରେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଏହାକୁ ବାଦ ଦେଲେ ମୁମ୍ବାଇ, ବେଙ୍ଗାଲୁରୁ ଭଲି ଜନସଂଖ୍ୟାବହୁଳ ମେଟ୍ରୋସିଟିରେ ମଧ୍ୟ ବର୍ଷା ଦିନେ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ଲୋକଙ୍କ ଜୀବନ ନେଉଛି ।
ଏବେ ଆରବ ସାଗରରେ ସୃଷ୍ଟ ସାମୁଦ୍ରକ ବାତ୍ଯା ‘ବିପର୍ଯ୍ୟୟ’ ଆସନ୍ତାକାଲି ସୁଦ୍ଧା ସ୍ଥଳଭାଗ ଛୁଇଁବ । ଏଥିରେ ବିଶେଷ ଭାବେ ଗୁଜୁରାଟ ଓ ମହାରାଷ୍ଟ୍ରର ଉପକୂଳ ପ୍ରଭାବିତ ହେବ । ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ଗୁରୁବାର (15 ତାରିଖ) ମଧ୍ୟାହ୍ନ ସୁଦ୍ଧା ଏହା ସୌରାଷ୍ଟ୍ର-କଚ୍ଚ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ନେଇ ପଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିସାରିଛି । ଗୁଜୁରାଟରେ ଏନଡିଆଏଫ ଓ ସ୍ଥାନୀୟ ଜରୁରୀ ବିଭାଗ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ