ମୁମ୍ବାଇ: ଆସନ୍ତା 16 ରୁ ମହାରାଷ୍ଟ୍ରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଏନେଇ ନିଷ୍ପତ୍ତି ନେଇଛନ୍ତି ମହାରାଷ଼୍ଟ୍ର ସରକାର । କୋଭିଡ ଗାଇଡଲାଇନ ଅନୁପାଳନ ସହ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି ।
ଧାର୍ମିକ ସ୍ଥାନ ଗୁଡିକରେ ପ୍ରବେଶ କରିବା ସମୟରେ ନାଗରିକଙ୍କୁ ସାମାଜିକ ଦୂରତା ଏବଂ କୋଭିଡ -19 ପ୍ରୋଟୋକଲ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ବିଭାଗୀୟ କମିଶନର ଏବଂ ଜିଲ୍ଲା ସଂଗ୍ରହକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଲୋଚନା ଏହି ନିଷ୍ପତ୍ତି ନିଆଯାଇଛି । କୋରୋନାର ଦ୍ବିତୀୟ ଲହରର ଭୟ ଯୋଗୁ ଧର୍ମାନୁଷ୍ଠାନ ଗୁଡିକ ଖୋଲିବାରେ ବିଳମ୍ବ ହେଉଥିବା କହିଥିଲେ ଉଦ୍ଧବ ।
ମହାରାଷ୍ଟ୍ରରେ ଶୁକ୍ରବାର ଦିନ 4,132 ଟି ନୂଆ ଆକ୍ରାନ୍ତ ରେକର୍ଡ ହୋଇଛି । ଯାହା ଏହି ସଂକ୍ରମଣ ମାମଲାକୁ 17,40,461 ରେ ପହଞ୍ଚାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ 97,22,961 ପରୀକ୍ଷା ହୋଇଥିବା ବେଳେ 84,082 ସକ୍ରିୟ ମାମଲା ରହିଛି। ଶୁକ୍ରବାର ଦିନ ରାଜ୍ୟରେ 58,686 ପରୀକ୍ଷା କରାଯାଇଥିଲା । ମହାରାଷ୍ଟ୍ରରେ ସୁସ୍ଥ ହାର 92.48 ପ୍ରତିଶତ ଥିବାବେଳେ ମୃତ୍ୟୁ ହାର 2.63 ପ୍ରତିଶତ ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ