ଭୋପାଳ: ନଶାସକ୍ତ ବାପାର ଉନ୍ମତ୍ତ କାଣ୍ଡ । ମଦ ନିଶାରେ ୪ ମାସ ଶିଶୁର ଗଳା ଚିପି ହତ୍ୟା କଲା ବାପା(druken father killed own son) । ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଘଟିଛି ଅଭାବନୀୟ ଘଟଣା । ମଧ୍ୟପ୍ରଦେଶର ଖିଲଚିପୁର ଜିଲ୍ଲା ଗୋନ୍ଦରମାଉ ଅଞ୍ଚଳରେ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ବାପା ଫେରାର ରହିଥିବା ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାଜଗଡ଼ ଅଞ୍ଚଳବାସିନ୍ଦା ହେଉଛି ସଞ୍ଜୟ ବର୍ମା । ସଞ୍ଜୟ ପତ୍ନୀକୁ ଆଣିବା ପାଇଁ ଭୋପାଳ ଗୋନ୍ଦରମାଉ ସ୍ଥିତ ନିଜ ଶଶୁର ଘରକୁ ଯାଇଥିଲା । ଅନେକ ଦିନ ହେଲା ସଞ୍ଜୟଙ୍କ ପତ୍ନୀ ଦୁଇ ପୁଅଙ୍କ ସହ ବାପ ଘରେ ରହି ଆସୁଥିଲେ । ପତ୍ନୀକୁ ଫେରାଇ ନେବା ପୂର୍ବରୁ ମଦ୍ୟପାନ କରିଥିଲା ସଞ୍ଜୟ । ତେବେ ନିଶା ଛାଡ଼ିବା ପରେ ଆସନ୍ତା କାଲି ଘରକୁ ଯିବା ବୋଲି କହିଥିଲେ ସଞ୍ଜୟଙ୍କ ପତ୍ନୀ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ପତି ପତ୍ନୀଙ୍କ ଝଗଡ଼ା ଧୀରେ ଧୀରେ ବଢିବାରେ ଲାଗିଲା । ଶେଷରେ ସଞ୍ଜୟ ପତ୍ନୀଙ୍କ କୋଳରୁ ୪ ମାସର ଶିଶୁ ପୁତ୍ରକୁ ଛଡ଼ାଇ ଆଣି କାନ୍ଥରେ କଚାଡ଼ି ଦେଇଥିଲା । ସେତିକିରେ ତାର ମନ ଶାନ୍ତି ହୋଇନଥିଲା ଯେ ନିଜ ପୁଅର ଗଳା ଚିପି ହତ୍ୟା କରିଥିଲା ସଞ୍ଜୟ । ଏହି ଘଟଣା ପରେ ନିଶାସକ୍ତ ପୁତ୍ରହନ୍ତା ବାପା କେଉଁଆଡ଼େ ଫେରାର ହୋଇ ଯାଇଛି ।
ଏନେଇ ଖବର ମିଳିବା ପରେ ପୋଲିସ ପହଞ୍ଚି ମହିଳା ଓ ତାଙ୍କ ପରିବାରବର୍ଗଙ୍କୁ ପଚରା ଉଚରା ଆରମ୍ଭ କରିଛି । ଏହି ଘଟଣାରେ ପଡ଼ୋଶୀଙ୍କ ବୟାନ ମଧ୍ୟ ରେକର୍ଡ କରୁଛି ପୋଲିସ । ପ୍ରାଥମିକ ତଦନ୍ତ ପରେ ଏହି ଘଟଣାରେ ଅଧିକ ସୂଚନା ମିଳିବ ବୋଲି କହିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ