କୋଲକାତା: କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଜାରି ସଂଘର୍ଷ ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲପନ ବନ୍ଦୋପାଧ୍ୟାୟ କେନ୍ଦ୍ର ସରକାରଙ୍କ ନୋଟିସର ଦେଇଛନ୍ତି ଜବାବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ 31ରେ ବନ୍ଦୋପାଧ୍ୟାୟଙ୍କୁ ନୋଟିସ ପଠାଯାଇଥିଲା ।
ସୂଚନା ଅନୁଯାୟୀ, ଆଲପନ ବନ୍ଦୋପାଧ୍ୟାୟ ନିଜ ଜବାବରେ କହିଛନ୍ତି ସେ ତାହା କଲେ ଯାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଅନୁଯାୟୀ, ଆଲପନ ସମୀକ୍ଷା ବୈଠକ ଦିନ ସମୟ ସୀମା ସହ ବିଷୟକୁ ସ୍ପଷ୍ଟ କରି ଜବାବ ଦେଇଛନ୍ତି ।
ବନ୍ଦୋପାଧ୍ୟାୟ କହିଛନ୍ତି, ସେ ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଥିଲେ ଓ ଉତ୍ତର ଏବଂ ଦକ୍ଷିଣ 24 ପ୍ରଗଣାରେ ଏରିଏଲ ସର୍ଭେ କରୁଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁମତିରେ ଦୀଘା ଯାଇଥିଲେ ।
ଗତ ମାସ ବାତ୍ୟା ୟସ ପରେ ପଶ୍ଚିମବଙ୍ଗ ଗସ୍ତ କରି ସମୀକ୍ଷା ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଆଲପନ ସେହି ବୈଠକରେ ସାମିଲ ହୋଇନଥିଲେ । ତେବେ ବୁଧବାର କେନ୍ଦ୍ର ସରକାର ବନ୍ଦୋପାଧ୍ୟାୟଙ୍କୁ ନୋଟିସ ଜାରି କରି 3 ଦିନରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।