ଭୁବନେଶ୍ବର: ‘ବିକଶିତ ଓଡ଼ିଶା’ର ମୂଳପିଣ୍ଡ ହେବ ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ମହିଳା କୈନ୍ଦ୍ରିକ ଫ୍ଲାଗସିପ୍ ସ୍କିମ୍ ‘ସୁଭଦ୍ରା’ ଯୋଜନା । ନବଆରମ୍ଭ ବର୍ଷ 2025 ହେବ ‘ସୁଭଦ୍ରା’ର ବର୍ଷ । ଚଳିତବର୍ଷ ଦୁଇଥର ନୁହେଁ, ବରଂ ହିତାଧିକାରୀ ଯୁବତୀ ଓ ମହିଳାମାନେ 3ଥର ଯୋଜନାର କିସ୍ତି ଟଙ୍କା ପାଇବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
- 2025ରେ ପଡିବ ଉତ୍କର୍ଷ ଓଡ଼ିଶାର ମୂଳଦୁଆ
ନବବର୍ଷ ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରଭାତୀ କହିଛନ୍ତି,‘‘ ସୁଭଦ୍ରା ଯୋଜନାର ହିତାଧିକାରୀ ଆଜି ଯାଏଁ ଭାବିଛନ୍ତି ଯେ, ଏହା ଏକ ଅର୍ଥ ରାଶି ପ୍ରଦାନ କରାଯାଉଥିବା ଯୋଜନା । କିନ୍ତୁ ଏହି ଯୋଜନା ମାଧ୍ୟମରେ ହିଁ ବର୍ଷ-2025ରେ ‘ଉତ୍କର୍ଷ ଓଡ଼ିଶା’ର ମୂଳଦୁଆ ପଡ଼ିବ । ଇଂରାଜୀ ନବବର୍ଷର ପ୍ରଥମ ମାସ ଘଟଣାବହୁଳ ରହିବ । ଆମେ କଥାରେ ନୁହେଁ, କାମରେ କରି ଦେଖାଇବୁ ।’’
- ‘ପ୍ରତିଶ୍ରୁତି ନୁହେଁ, ପ୍ରତିବଦ୍ଧତାର ସରକାର’
ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ବିରୋଧୀ କହୁଛନ୍ତି ଏ ସରକାର ପାଖରେ ଭିଜନ ନାହିଁ, କିନ୍ତୁ ଆମ ପାଖରେ କିଛି ଚ୍ୟାଲେଞ୍ଜ ନାହିଁ । ଯେତେବେଳେ ଯେଉଁ ସମସ୍ୟା ସାମ୍ନାକୁ ଆସିବ, ତାକୁ ସମାଧାନ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଲୋକଙ୍କ ସମସ୍ୟା ହିଁ ସରକାରଙ୍କ ସମସ୍ୟା । ସବୁ ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଆମେ ସରକାରକୁ ଆସିଛୁ । ସାଧାରଣ ଲୋକମାନେ ଦେଇଥିବା ଦାୟିତ୍ୱକୁ ତୁଲାଇବା ପାଇଁ ଆମ ସହ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି । ଆମ ସରକାରର କେବଳ ପ୍ରତିଶ୍ରୁତିର ନୁହେଁ, ବରଂ ପ୍ରତିବଦ୍ଧତାର ସରକାର ।’’
- ‘ସୁଭଦ୍ରା’ ଯୋଜନା ସମ୍ପର୍କରେ...
ରାଜ୍ୟରେ ବିଜେପି ସରକାର କାର୍ଯ୍ୟକାରୀ କରିଥିବା ମହିଳାକୈନ୍ଦ୍ରିକ ଫ୍ଲାଗସିପ୍ ସ୍କିମ୍ ହେଉଛି 'ସୁଭଦ୍ରା' ଯୋଜନା । କେବଳ କାର୍ଯ୍ୟକାରିତା ନୁହେଁ ବରଂ ନିର୍ବାଚନୀ ରାଜନୀତିରେ ମଧ୍ୟ ବଡ ଗୋଟି ଭାବେ ସାମ୍ନାକୁ ଆସିଥିଲା ଏହି ତତ୍କାଳୀନ ପ୍ରସ୍ତାବିତ ଯୋଜନା । ବିଜେଡିର ‘ମିଶନଶକ୍ତି’ ଭୋଟ ବ୍ୟାଙ୍କରୁ କାଉଣ୍ଟର କରିବା ବିଜେପିର ନିର୍ବାଚନୀ ଇସ୍ତାହାରରେ ସ୍ଥାନ ପାଇବା ଠାରୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ, ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାରେ ରହି ଆସିଛି ଏହି ଯୋଜନା ।
- ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ, 80 ଲକ୍ଷ ମହିଳା ପାଇ ସାରିଲେଣି ଟଙ୍କା
ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବା ପରେ ଗତବର୍ଷ ସେପ୍ଟେମ୍ବର 17 ତାରିଖରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଖାତାରେ ପହଞ୍ଚିଥିଲା । ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀ ଆଗାମୀ 5 ବର୍ଷରେ ବର୍ଷକୁ ଦୁଇଟି କିସ୍ତିରେ 5 ହଜାର ଲେଖାଏଁ ଅର୍ଥାତ୍ 10 ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ ।
ଗୋଟିଏ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ଏବଂ ଅନ୍ୟ କିସ୍ତିଟି ମାର୍ଚ୍ଚ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବା ନେଇ ସ୍ଥିର ହୋଇଛି । ଏବେ ସୁଦ୍ଧା ପ୍ରଥମ କିସ୍ତିର 3ଟି ପର୍ଯ୍ୟାୟରେ ପ୍ରାୟ 80 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳି ସାରିଥିବା ବେଳେ ଏ ବର୍ଷ ପ୍ରାରମ୍ଭରେ 4ର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ସେହିପରି ଚଳିତବର୍ଷର ଦୁଇଟି ନିୟମିତ କିସ୍ତି ମଧ୍ୟ ନିର୍ଦ୍ଧାରିତ ସମୟରେ ମିଳିବା ନେଇ ସରକାର କହୁଛନ୍ତି । ତେଣୁ ସେହି ଅନୁପାତରେ ଏଥର ମୋଟ 3 କିସ୍ତି ସୁଭଦ୍ରା ଟଙ୍କା ପାଇବେ ମହିଳା ।
ଏହା ମଧ୍ୟ ପଢନ୍ତୁ:- ଜାନୁଆରୀରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା, ଭୁଲରେ ଟଙ୍କା ନେଇଥିଲେ... ‘BJP ମିଛ କହି କ୍ଷମତାକୁ ଆସିଛି’: ନବୀନଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର |
- ପର୍ଯ୍ୟଟନର ହବ ହେବ ଓଡିଶା:-
ଏହି ବର୍ଷ ଓଡିଶା ଦେଶରେ ପର୍ଯ୍ୟଟନର ହବ ହେବାକୁ ଯାଉଛି । ଏବେ ଦେଶର ପର୍ଯ୍ୟଟନ ରାଙ୍କିଂରେ 17 ନମ୍ବର ସ୍ଥାନରେ ଥିବା ଓଡିଶା 3 ନମ୍ବର ରାଜ୍ୟକୁ ଉନ୍ନିତ ହେବ । 2025 ଶେଷ ସୁଦ୍ଧା 17 ରୁ 7 ନମ୍ବର ହେବ ଓ 2029 ମସିହା ବେଳକୁ 3 ରୁ 1 ନମ୍ବର ପର୍ଯ୍ୟଟନ ରାଜ୍ୟ ଭାବେ ଓଡିଶା ପରିଚୟ ପାଇବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
- ବିଶ୍ବ ଦେଖିବ ଓଡିଶାର ‘ବେଷ୍ଟ କେପ୍ଟ ସିକ୍ରେଟ୍’ :-
ପ୍ରଭାତୀ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ‘ବେଷ୍ଟ କେପ୍ଟ ସିକ୍ରେଟ୍’ ଲୋକଲୋଚନକୁ ଆସିବ । ‘ଉତ୍କର୍ଷ ଓଡ଼ିଶା’ର ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥାରେ ଆସିବାକୁ ଥିବା ନିବେଶକମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ପରିଦର୍ଶନ କରିପାରିବେ । କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳର ଭରି ରହିଥିବା ପ୍ରାଚୁର୍ଯ୍ୟକୁ ବିଶ୍ଵ ଦରବାରରେ ଦେଖାଇବାରେ ଆମେ ସଫଳ ହେବୁ । 7 ରୁ 8 ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସୁଛନ୍ତି । ‘ଅତିଥି ଦେବ ଭବଃ’ ସଂସ୍କୃତିରେ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ।’’
ଇଟିଭି ଭାରତ, ଭୁବନେଶ୍ବର